ନିରୁପମା
ନିରୁପମା
ନିରୁପମା
ଆଉ କି ଉପମା ଦେବି, ତମେ ତ ନିରୁପମା
ସଂଶୟ ରଖନି ଲବେ ତମେ ମୋ ପ୍ରିୟତମା
ମିତଣୀ ପ୍ରେମିକା ଅବା ସଖିନୀ ପ୍ରିୟା ବୋଲି
କେଜାଣି ଶବଦ କେତେ କବିତାରେ ଖଞ୍ଜିଲି
ରୂପଗନ୍ଧେ ମୋହିତ ମୁଁ ପ୍ରଣୟ ପ୍ରୀତି ରସେ
ରଚିଗଲି ଅସରନ୍ତି ପ୍ରେମ ଭାବ ବିନ୍ଯାସେ
ତଥାପି ମୁଖରୁ ମୋର ଶୁଣିନ ପଦେ କଥା
ପ୍ରେମିକା ବୋଲି ଥରେ, ଏତକ ହୃଦେ ବ୍ୟଥା
ତୁମରି ଆସନ ତହୁଁ ଅତି ଉଚ୍ଚରେ ଯେଣୁ
ଭାଷାରେ ବର୍ଣ୍ଣିବା ପାଇଁ ଶବ୍ଦ ଅକ୍ଷମ ତେଣୁ
ବାହା ହୋଇ ପାଦ ରଖି ଘରଟିକୁ ସେଦିନ
ସଜାଇ ସୁନ୍ଦର କଲ ନେଲ ନାହିଁ ବିଶ୍ରାମ
ନିବାସ ମଂଦିର ହେଲା ଥିଲା ଯାହା ଶ୍ରୀହୀନ
ପରିବା ଥୋଇଲେ ଆଣି ରଚିଦେଲ ବ୍ଯଞ୍ଜନ
ସୁଖରେ ଦୁଃଖରେ ସାଥୀ ଅନବରତ ତୁମେ
ଚିନ୍ତାକଲେ ପ୍ରବୋଧିଲ ସେବା କରିଲ ଶ୍ରମେ
ବୀଜଟିଏ ପାଇଗଲେ ବଗିଚାରେ ପୋତିଲ
ଚାରାଟିଏ ମିଳିଗଲେ ଯତନେ ଲଗାଇଲ
ଅଣୁଟିଏ ଦେଇଥିଲି ଜଠରରେ ଥୋଇଲ
ଶରଧା ମମତା ବୋଳି ସନ୍ତାନ ସମର୍ପିଲ
ପ୍ରେମଭରା ଭାବେ ତମେ ଗଢିଅଛ ଜୀବନ
ପୀରତି ତନୁରେ ତୁମ ମାତୃ ତୁଲ୍ୟ ପାଳନ
କମଳିନୀ ବାସ ଯେଣୁ ବିଷ୍ଣୁଙ୍କର ହୃଦୟେ
ଆଉକି ଉପମା ଦେବି ନିରୁପମା ମୋ ପ୍ରିୟେ।
କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା