ରାସବିହାରୀ ହେ
ରାସବିହାରୀ ହେ
ରାସବିହାରୀ ହେ ରାସରେ ରସେଇ
ବୃଷଭାନୁ ଜେମା ଦେଇ
ହେଲେ କି ହରଷ ପାଇ ତୁମ ରସ
ମାୟା ମୋହୁ ଗଲେ ବହି ।
ଭୟ ଅପନିନ୍ଦା ବିରହ ବେଦନା
ମନେ ଅପଘନେ ଥାଏ
କ୍ଷଣ ଭରେ ଆସେ କ୍ଷଣ ଭରେ ଯାଏ
ବଂଶୀ ରେ ବିଭୋର ହୁଏ ।
ବୃନ୍ଦାବନ ହରି ହେ ମୁରଲୀଧାରୀ
କାହିଁକି କଲ ଏପରି
ବୃନ୍ଦାବତୀ ଯେବେ କୂଳ ମାନ ସାଜେ
କୂଳକି ଉଠିବ ପୁରି ।
ସତେକି ସରମ ସାଜିଲା ଭରମ
ଦିବ୍ୟ ପ୍ରେମେ ଗଲେ ଭିଜି
ଯେତେ ଗୋପାଙ୍ଗନା ହେଲେ ଆପ୍ତକାମା
ମନମଥୁ ଗଲେ ହଜି ।
ତଥାପି କାହିଁକି ବିରହ ବେଦନା
ମନେ ଏତେ ଘାରୁଥାଏ
ବ୍ରଜବିନୋଦିନୀ ଚନ୍ଦ୍ରସେଣା ରାଣୀ
କୁଳ ମାନ ଭୁଲିଯାଏ ।
ହେଲେ ରାଧାରାଣୀ ବରାକି ବରଣୀ
ବାଙ୍କବିହାରୀଙ୍କ ସାଥେ
ଭୁଲିଗଲେ କିବା ସଂସାର ନିୟମ
କାଳିଆ କାହ୍ନୁର ପଥେ ।
ନଟବର ଧର ନଟର ନାଗର
ନଟ ଲଗାଇଲ ଯାହା
କୁଳ ଭୁଆସୁଣୀ ଅଭିଆଡୀ ପୁଣି
ପ୍ରେମ ପାଇଁ ହେଲେ ବାୟା ।
କେମିତି ବୁଝିବି ହେ ବ୍ରଜକିଶୋର
ପ୍ରେମ ନୁହେଁ ତନୁ ଧ୍ୟାନ
ହୁଏ ବିମୋହିତ ସ୍ଵତନୁ ସହିତ
ରହିଯାଏ କାହିଁ ମନ ।
ପ୍ରଶାନ୍ତ କୁମାର ହୋତା