ମାଡ ସଂସ୍କାର ବାଡ
ମାଡ ସଂସ୍କାର ବାଡ
ଶୈଶବ ଅମୃତ ଅତି ମଧୁମିତ
ଶୈଶବ ଶିଖିବା ପ୍ରଥମ ବେଳା
ସଂସ୍କାରର କଥା ନୈତିକତା ସତ୍ତା
ଜୀବନ ଗଠନ ପ୍ରକୃତ କଳା ।
କେବେ ଆଦରର ମଧୁମୟ ଝର
କେବେ କେବେ ମିଳେ ବେତ ପାହାର
କେବେ ଅବତାରଣ ସୁକାହାଣୀର
କେବେ ଉଦାହରଣ ପୂର୍ବ ସୁରିର ।
ପିଲାବେଳ ଶିକ୍ଷା ସଂସ୍କାରର ଭିକ୍ଷା
ପାଇଁ ଆବଶ୍ୟକ କେତେ ଯେ ମାଡ
ଏବେ ବି ପ୍ରତିତ ହୁଏ ଅନୁଭୂତ
ମାଡ ଥିଲା ପରା ଶିକ୍ଷାର ବାଡ ।
ମାଡ ହେବାପରେ ଝରିଲେ ଲୋତକ
ତା'ଉପରେ ପୁଣି ଅଧିକ ମାଡ
ମିଛରେ ଯଦି ତୁ ଲୁହକୁ ଝାରିବୁ
ଵୋହିବ ପିଠିରେ ମାଡର ଝଡ ।
ଖେଳୁଥିବା ବେଳେ ବନ୍ଧଙ୍କ ସାଥିରେ
ପିଠିରେ ବସିବ ବେତ ପାହାର
ନ ଖେଳି ଯଦି ବି ଘରେ ବସିଥିବୁ
ତଥାପି ମୁକତି ନଥିବ ତୋର ।
ଗୁଜୁଜନ ବସିଥିଲେ ଅଗଣାରେ
ସେଠି ହେବୁନାହିଁ ତୁ ଲଟପଟ
ଏପଟ ସେପଟ ହେଲେ ତୁ ଧନରେ
ପିଠିରେ ବାଜିବ ବେତର ଛାଟ ।
ଭୁଲ କରୁଥିଲେ ଗୁରୁ ଗୁରୁଜନେ
ଉତ୍ତର ତୁ ଅବା କାହିଁକି ଦେବୁ
ଉପରେ ପଡି ତୁ ଉତ୍ତର କହିଲେ
ମାଡରୁ ନିସ୍ତାର କିବା ପାଇବୁ ?
ପ୍ରଶ୍ନ ପଚାରିଲେ ଉତ୍ତର ନଦେଲେ
ମାଡ ବୃଷ୍ଟି ହେବ ତୋର ଉପରେ
ବେଶି ଗେହ୍ଲା ହେଲ କିଛି ଦିନ ଧରି
ମାଡ ବିନା କ'ଣ କେହି ନିସ୍ତରେ ?
ଭଲ ଭଲ କଥା ଗ୍ରହଣ ନକଲେ
ସମ୍ମାନ ନଦେଲେ ଅତିଥି ଜନେ
ତାଙ୍କ ଖାଦ୍ୟ ପରେ ଦେଲେ ନଜର
ମାଡ ମିଳିଯିବ ନିଶ୍ଚିତ ଜାଣେ ।
ନାହିଁ କଲେ ଖାଦ୍ୟ ଖାଇବାକୁ ଦେଲେ
ଅଧିକ ଖାଇଲେ ଖାଇବୁ ମାଡ
ଖେଳୁଖେଳୁ ଯଦି ଫେରିବୁ ଡେରିରେ
କାହିଁକି ହେବନି ତୋତେରେ ମାଡ ?
ମାଡ ଥିଲା ଧନ ସଂସ୍କାରର ଛାଟ
ମାଡ ଦେଖାଉଥିଲା ତୋତେ ବାଟ
ଜୀବନ ଯୁଦ୍ଧରେ ଜିତିବାର କଳା
ଗୁଜୁଜନ କରୁଥିଲେ ଆକଟ ।
ସବୁ ବିପରୀତ ବେଳାରେ ଅଙ୍କୁଶ
ହାତେ ମାପିକରି ଚାଖଣ୍ଡେ ଯିବୁ
ଶିଖିଥିଲେ କଳା ନହେବୁ ଦୁର୍ବଳ
ସବୁ ବିପଦକୁ ସାମନା କରିବୁ ।
ଏବେ ମାଡ ପାଇଁ ବହୁ କଟକଣା
ଗେଲବସରରେ ବଢୁଛି ପୁଅ
ଝଡ ଯେତେବେଳେ ବାଡକୁ ଭାଙ୍ଗୁଛି
ମୁକୁଳିବାର ତୁ ପାଉନୁ ଖିଅ ।
ଜୀବନ ନୁହେଁ ରେ ଖାଲି ହସଖେଳ
ମଉଜ ମଜଲିସର ସୁବେଳ
ଜୀବନ ଯନ୍ତ୍ରଣା ଅନେକ ମନ୍ତ୍ରଣା
ନୁହେଁ ପରା ବାଲିଘରର ଖେଳ ।
ସଂଘର୍ଷ ଜୀବନ ସଂଘର୍ଷ ମନନ
ସଂଘର୍ଷ ଜୀବନ ପ୍ରକୃତ କଳା
ସଂଘର୍ଷ ଭିତରେ ବଢିଥିଲେ ଧନ
ସଂଘର୍ଷ କରି ତୁ କାଟିବୁ ବେଳା ।
ଟିକିଏ ଦୁଃଖରେ ଝଡି ପରୁବୁନୁ
ଭାଙ୍ଗିବନି ତୋର ଧୈର୍ଯ୍ୟର ବନ୍ଧ
ଶିଖି ଶିଖାଇବୁ ଜଗତ ଜନକୁ
କର୍ତ୍ତବ୍ୟ ପଥରେ ହେବୁନୁ ଅନ୍ଧ ।
ଦରଦର କଥା ବୁଝି ତୁ ପାରିବୁ
ପାରିବୁ ନେଇ ତୁ ସବୁରି ଯତ୍ନ
ବାପାମାଆଙ୍କର ଓଠେ ହସଧାର
ଫୁଟାଇବୁ ତୁହି ତାଙ୍କରି ରତ୍ନ ।
ଜନମ ମରଣ ମଝି ପାହାଛରେ
ଆସିବ ଜୀବନେ କେତେ ସଂଘର୍ଷ
ହସିହସି ତାକୁ ପାରିହେଇ ଯିବୁ
ମୁଖରେ ଫୁଟାଇ ତୃପ୍ତିର ହସ ।
ବେକାର ହେବୁନୁ ବସି ଖାଇବୁନୁ
ହେବୁନୁ ମାତାଲ ନିଶାରେ ଗୁଣ୍ଡା
ନଖରୀ ନିର୍ଯାତନା ଧର୍ଷଣ କଷଣ
କରିବୁନୁ ଭାବି ନିଜକୁ ଭେଣ୍ଡା ।
ଦୁର୍ନୀତି ଦୁର୍ଗତି ନିନ୍ଦନୀୟ ଅତି
ସେଥିକୁ ତୋହର ରହିବ ଆଖି
ଶତ ଚେଷ୍ଟା ବଳେ କରି ପରାହତ
ତୁ ପରା ଦେଶର ପ୍ରକୃତ ରକ୍ଷି ।
ଦେଶ ହିତ ତୋର ଜୀବନର ବ୍ରତ
ପିଲାଟି ଦିନରୁ ଶିଖିଛୁ ଧନ
ଗୋପବନ୍ଧୁ ଆମ ଜୀବନ ଆଦର୍ଶ
ରଖିବୁ ଆଦର୍ଶ ଦେଶର ମାନ ।