କନକ ବରନା (ସନେଟ)
କନକ ବରନା (ସନେଟ)
ଧୂସର ମାଟିର ଧୂମାନ୍ତ ସକାଳେ ପାଦ ଚାପି ଧୀରେ ଏକା
ପ୍ରୀତିର କିରଣ ଅଙ୍କି ଦେଉଥିଲା କପାଳେ ଚନ୍ଦନ ଟୀକା।।
ନୟନେ କଜ୍ବଳ ସିନ୍ଥିରେ ସିନ୍ଦୁର ଗଭାରେ ରଜନୀଗଂଧା
ଢଳଢଳ ତନୁ କଅଁଳ ଯୌବନା ଅଳସୀ ଅଳକା ନନ୍ଦା ।।
କିଆ-କେତକୀର ମହମହ ବାସେ ଫାଟିପଡୁଥିଲା ଧରା
ଆକାଶ ପଥରୁ ମଧୁ ଝରୁଥିଲା ସତେକି ପାହାନ୍ତି ତାରା ।।
କଳକଳ ନଈ ଯାଉଥିଲା ବହି ମଳୟ ମୂର୍ଚ୍ଛନା ତାଳେ
ଲାଜକୁଳି ଲତା ସେ ଚାରୁ ଚନ୍ଦ୍ରିକା ଦେଖୁଥିଲା ମୁହଁ ଜଳେ ।।
ଓଢଣୀ ଫାଙ୍କରୁ ଝରି ପଡୁଥିଲା କମନୀୟ ମୁଖ ଆଭା
କୁଂଚିତ କବରୀ ପାଦରେ ଅଳତା ଆହା କି ରୂପର ଶୋଭା !
ସପନରେ କେତେ ଭିଜୁଥିଲା ସତେ ସପନ ରାଇଜ ଜେମା
ନାଲି ଚୁକୁ ଟୁକୁ ସାଧବ ବୋହୂ ସେ ମୌନବତୀ ଅନୁପମା ।।
କନକ ବରନା ପ୍ରେମ ର ଝରଣା ସୁହାସିନୀ ପ୍ରୀତିପୂର୍ଣ୍ଣା
ନାରୀ ନୁହେଁ ସେ'ତ ମମତା ନିର୍ଝରୀ ସୌନ୍ଦର୍ଯ୍ୟର ମଧୁ ବନ୍ୟା ।।
--------------------------------
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ,ବଡବିଲ।
।। ମୋର ଏହି ପ୍ରଥମ 'ସନେଟ 'ଟି ପ୍ରାକ୍ତନ ପ୍ରଧ୍ଯାପକ ଡ.ସରୋଜ କୁମାର ହାତୀ(ହାତୀ ସାର୍ )ଙ୍କୁ ଉତ୍ସର୍ଗୀକୃତ ।।