ପ୍ରେମ ପ୍ରମୋଦିନୀ
ପ୍ରେମ ପ୍ରମୋଦିନୀ
ପ୍ରେମ ପ୍ରମୋଦିନୀ ହେଲେ ନିର୍ଝରିଣୀ
ହୃଦୟର ହରାରାତି
ପାଉଥାଏ ପ୍ରେମ ପାରମିତ ସମ
ଦେଉଥାଏ ପରାବର୍ତ୍ତି ।
ପୁରୁଷ ପରଶେ ପ୍ରୀତିର ବରଷେ
ଯଉବନେ ପ୍ରେମ ଅତି
ସେ ପରଶ ଯଦି ଭାବରେ ଭରଷେ
ପ୍ରେମ ନିରନ୍ତର ଗତି ।
ଦେହାତୀତ ପ୍ରେମ ଦେହ ଖୋଜେ ନାହି
ଦେହ ଏକ କ୍ରିୟା ତାର
ବିଦେହର ପ୍ରେମ ସତ୍ତ୍ଵ ଗୁଣେ ସମ
ଝରୁଥାଏ ପ୍ରୀତି ଝର ।
ଯା’ ପାଶେ ବିଭବ ପ୍ରେମର ପରାଦ
ପାଉଥାଏ ମଧୁ ସ୍ଵାଦ
ସେଥିପାଇଁ ପ୍ରେମ ନୁହେଁ କେବେ ପାପ
ପ୍ରେମ ପରସ୍ପର ଭାବ ।
କିଏ କହେ ପ୍ରେମ ଉଛୁଳା ଯୌବନ
ପ୍ରଣୟରେ ତାର ଶକ୍ତି
ପାଉଥିଲେ ଦେଇ ପାଉଥିଲେ ନେଇ
ମଦନରେ ମୋହେ ରତି ।
କିଏ କହେ ପୁଣି ପ୍ରେମ ନିବେଦନ
ଆତ୍ମା ଦେହ ସମର୍ପଣ
ନପାଇଲେ ପ୍ରେମ ବଞ୍ଚିବା ଜୀବନ
ହେଉଥାଏ ଅପଘୃଣ ।
ସେହି ପ୍ରେମ ପୁଣି ପୂଜାରିଣୀ ସାଜେ
ହୃଦୟର ହୁଏ ହାର
କେତେ ସ୍ଵପ୍ନ ଦେଖେ ଦେବାକୁ ଗୁଞ୍ଜର
ହେଉଥାଏ ଅଭିସାର ।
ପ୍ରେମ ଦେଲେ ସ୍ଵପ୍ନ ନଗ୍ନତା ନଟନ
ନବଦ୍ୟରେ ଯାଏ ଦିନ
ନବୋଦ୍ୟମ ବୃଥା ହେଉଥାଏ ଯଥା
ନବଶଶୀ ନବଘନ ।
ପ୍ରେମ ବହ୍ନି ଶିଖା ପ୍ରେମରେ ପ୍ରତୀକ୍ଷା
ପ୍ରେମରେ ଦ୍ବେଷ ବିଦ୍ବେଷ
ନମାନନ୍ତି ଝଡ ଝଞ୍ଜାର ଆକ୍ରୋଷ
ପିଉଥାନ୍ତି ପଛେ ବିଷ ।
ପ୍ରେମ ପରିଭାଷା ପ୍ରୀତିର ପରଷା
ଅମରୁତ ସମ ଆଶା
ଜୀବନ ସାର୍ଥକ ଶାଶ୍ଵତ ସୁଖଦ
ହେଉଥିଲେ ପରିତୋଷା
ପ୍ରଶାନ୍ତ କୁମାର ହୋତା