Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Others

3  

Sadananda Sahoo

Others

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

2 mins
639



ଉତ୍କଳ ଜନନୀ ନମୋ ନାରାୟଣୀ

ସୌନ୍ଦର୍ଯ୍ୟା ନିପୁଣା ମାତା

ରୂପରେ ଅପୂର୍ବା ଏ'ସୃଷ୍ଟିରେ ତୁ' ଶ୍ରେଷ୍ଠା

ତୁ'ମାଆ ଜଗତ ଜିତା ! !


ପ୍ରକୃତି ବିଭବା ତୁ'ଯେ ସ୍ଵୟଂପୂର୍ଣ୍ଣା

ସୁଶୋଭିତ ବକ୍ଷରାଜି

ସବୁଜିମା ରଙ୍ଗ ସୁରମ୍ୟ ତୋ' ଅଙ୍ଗ

କିଏ ମା' ଦେଇଛି ଖଞ୍ଜି ! !


ପାଦପଦ୍ମେ ତୋ'ର ସପ୍ତସିନ୍ଧୁ ନୀର

ପ୍ରଖ୍ୟାଳନେ ନିୟୋଜିତ

ଶୁଭ୍ରକେଶା ବେଶା ତଟିନୀ ସୁଵେଶା

କଲ୍ୟାଣ ଆଶିଷେ ସ୍ରୋତ ! !


ଅଖଣ୍ଡ ଭୂଖଣ୍ଡ ସୀମା ତୋ' ବିସ୍ତୀର୍ଣ୍ଣ

ଅରଣ୍ୟାନୀ ରାଜରାଣୀ

ଝରଣା ସୁହାନି ନିର୍ଝରିଣୀ ବାଳୀ

ରାଗର ରାଗିଣୀ ମଣି ! !


ପୂରୁବ ପଶ୍ଚିମ ଉତର ଦକ୍ଷିଣ

ଚତୁଃଦିଗେ ପରିପୂର୍ଣ୍ଣା

ବାନ୍ଧ ପାଟ ଶାଢ଼ୀ ରୌପ୍ୟ ତାରକସି

ବସ୍ତ୍ରାୟାଣୀ ଅନ୍ନପୂର୍ଣ୍ଣା ! !


ମାଣିଆ ବନ୍ଧର ବାନ୍ଧ କଳାପ୍ରୀତ

କୁଶଳି ତୋ' କାରିଗର

ସମଲାଇ ପାଟ ପଣତ ବିଚିତ୍ର

ଆହାକି ତୋ' ଉପହାର ! !


ଚିଲିକା ଅଂଶୁପା ରୂପେ ଅପରୂପା

ଚିତ୍ରବର୍ଣ୍ଣା ହ୍ରଦ ହୃଦ

ଶୋଭାର ଭଣ୍ଡାର ଉତ୍କଳ ସଜଳ

ଆତ୍ମତୃପ୍ତି ସୁଖପ୍ରଦ ! !


କାରୁକାର୍ଯ୍ୟ ମୟ ଐତିହ୍ୟ ବିଭବ

ସପ୍ତାଶ୍ଚର୍ଯ୍ୟ କୋଣାରକ

ସୂର୍ଯ୍ୟଦେବ ପ୍ରୀତ ଅଦ୍ୟାବଧି ସତ

ଉତ୍କଳ ଭାସ୍କର ଅର୍କ ! !


ଶ୍ରୀକ୍ଷେତ୍ର ବିଖ୍ୟାତ ଶଙ୍ଖକ୍ଷେତ୍ର ମିତ

ଵିଶ୍ଵ ବ୍ରହ୍ମାଣ୍ଡର କେନ୍ଦ୍ର

ଜଗତର ନାଥ ହୃଦୟ ସଙ୍ଗାତ

ବସିଛନ୍ତି ଖୋଲି ନେତ୍ର ! !


ବଡ଼ ଦେଉଳର ପତିତ ପାବନ

ଉଡେ ସଦା ଫର ଫର

ଉତ୍କଳ ମହିମା ଭାବ ଉଦ୍ଦୀପନା

ଭକ୍ତି ଅର୍ଘ୍ୟ ଭକତର ! !


ଚିର ବନ୍ଦନୀୟା ମାଆ ଉତ୍କଳୀକା

ଶତବାର ପ୍ରଣିପାତ

କବି ବରପୁତ୍ର ତୋ'ର ପ୍ରିୟ ସୁତ

ତୋ'ରୂପେ ବିମୁଗ୍ଧ ସତ ! !


ପୂରୁବ ଗୌରବ ସଦା ଉଦ୍ଭାଷିତ

ଜନ ମାନସରେ ମା'ଲୋ

ଗଙ୍ଗା ଗୋଦାବରୀ ସବୁତ ତୋହରି

ପରିପୂର୍ଣ୍ଣ ଥିଲା କୋଳ ! !


କେତେ ସାଧୁ ସନ୍ଥ ସେବାବ୍ରତୀ ସୁତ

ତୋହରି ଔରସ ବିତ୍ତ

କୀରତି ଅରଜି ପୂଜା ପାଉଛନ୍ତି

ଯୋଗଜନ୍ମା ବରପୁତ୍ର ! !


ମଧୁ ବାରିଷ୍ଟର ଉତ୍କଳ ଗୌରବ

ଗୋପବନ୍ଧୁ ମଥାମଣି

ଫକିରମୋହନ ବ୍ଯାସ ଦେବରତ୍ନ

ସାହିତ୍ୟ ସରାଗି ଗୁଣୀ ! !


ତୋ'ରୂପେ ବିମୁଗ୍ଧ ଗଙ୍ଗାଧର ସୁତ

ପ୍ରକୃତି ଉପାଧି ପ୍ରାପ୍ତ

ଲେଖନୀ ସର୍ବସ୍ଵ ରାଧାନାଥ ବିତ୍ତ

କବିବର ପ୍ରଜ୍ଞାଦୀପ୍ତ ! !


ମାଆ ଉତ୍କଳୀକା ସ୍ମୃ୍ତି ସ୍ମରଣୀକା

ସର୍ବ ଶ୍ରେଷ୍ଠା ମାତୃ ଦେବୀ

ଅକ୍ଷୁର୍ଣ୍ଣ ରହୁ ତୋ' ପୂରୁବ ଐତିହ୍ୟ

ଲେଖୁଥାଉ କବି ଭାବି ! !

- - - - - - - - - - - - - - - - - - - - -

ସଦାନନ୍ଦ ସାହୁ

କାରା କର୍ମଚାରୀ , କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର , ଭ୍ରାମ୍ୟଭାଷ ସଂଖ୍ୟା- 7978517998

- - - - - - - - - - - - - - - - - - - - - - - -


Rate this content
Log in