ମୁଠାଏ ଆକାଶ ମୋ ଆଞ୍ଜୁଳା
ମୁଠାଏ ଆକାଶ ମୋ ଆଞ୍ଜୁଳା
ଅହମିକା ଏ ମଉନ ଜହ୍ନର
ମଉଳିଆ ଉଦାସିଆ ଆକାଶର
ଚିମୁଟାଏ ଜୋଛନା ବୋଳା ବିଧୁର ରାତିର
ଉତ୍ତର ଦେବାକୁ ହେବ ଏଥର ଶତ ପ୍ରତିଶତର
ଖାଲି ନୀରବ ସାକ୍ଷୀ ରହିଲେ ନ ହେବ
କଥାରେ କଥା ମିଶାଇବାକୁ ମନରେ ଥିବ
ଚୁପ୍ ରହିଲେ କିଏ କ’ଣ ବୁଝିବ
କୋଳରେ ମୁଣ୍ଡ ରଖି ଶୋଇ ଯେ ରହିବ
ଅନ୍ତଃବସ୍ତ୍ର ଭିଜାଇ ଶରୀର ଓ ହୃଦୟର
ନୁଆଁଇ ଥିରି ଥିରି ଆସେ ଅଭୀଷ୍ଟ ଆଶ୍ଲେଷର
ଲାଜଗୁଡା ସବୁ ସଜ ସଜ ବେଳର
ହସିଦେଲେ ଝରିପଡେ କଦମ୍ବ ଫୁଲ ଟାହିଆର
ପଟା ଏଥର ମୋ ନାମରେ ନାମିତ କରିବି
ପରିଚୟ ଏ ପରିଚିତ ରାସ୍ତାର ଦେବି
ଏ ମୋର ଏଥର ରହିବ
କିଛି ସବୁ ବୁଝି ନ ବୁଝିବ
ମୋ ମୁଠାରେ ଆକାଶକୁ ଭରିଦେବି
ସେଥିରେ ମୋ ନାମଟା ଲେଖିବି
ପାରିଜାତ ନେଇ ମୋ ହାତ ମୁଠାରେ
ଉଭା କରିବି ଅମୂଲ୍ୟ ଆମୂଳଚୂଳ ରତ୍ନରେ
ମହଲର ଦାବି ନେଇ ଆକାଶର ଅଳିନ୍ଦରେ
ତାରା ସବୁ ସଜାଇବି ମେଘନାଦ ମେଘକନ୍ଯାରେ
ପ୍ରୀତି ପୁରୀର ରୂପ ରାଇଜରେ
ଭରିବି ମନଟା ମୋ ଉଧାର ସୁଝାଇବାରେ
କବରୀରେ ମୋ ଖୋଲା ଉଡନ୍ତା ଖୋଟଲାରେ
ବନ୍ଧା ପକା ମନର ଭାବନା ଗଭୀର କୂଅ ଶୂନ୍ୟରେ
ଅଭୀପ୍ସା ଅଭୀଷ୍ଟ ଇଚ୍ଛା ସବୁବେଳେ ମନ୍ତ୍ର ମୁଗ୍ଧରେ
ହଜିଯାଏ ଉନ୍ମୁକ୍ତ ବିସ୍ତାରିତ ଅନନ୍ତ ଅନ୍ତରର ଗହଳି ଆକାଶରେ…