ମୁଁ ଗୃହିଣୀ
ମୁଁ ଗୃହିଣୀ
ସକ୍ଷମ ମୁଁ ନ ହୋଇପାରେ
କିଛି ରୋଜଗାର ପାଇଁ
ହେଲେ ସଞ୍ଚୟ ଓ ଘର ଚଲେଇବା ରେ
ମୁଁ ବେଶ ଧୁରନ୍ଧର
ମାସ ଶେଷରେ ଦରମା ଅଣ୍ଟୁ କି ନ ଅଣ୍ଟୁ
ସୁରୁଖୁରୁ ରେ ଚାଲିଥାଏ ମୋ ସଂସାର l
କୁଣିଆ ମଇତ୍ର ଯାନିଯାତରା
ବାରମାସ ତେର ପୂଜା ପରବ
ଶ୍ରଦ୍ଧା ସମ୍ମାନ ଭକ୍ତିର ନୈବେଦ୍ୟ
ବାଢିଦିଏ ସମସ୍ତଙ୍କୁ କରି ଆପଣାର
ନ ଥାଏ ତିଳେ ହେଁ କ୍ଳାନ୍ତି ଅବଶୋଷ
ସଭିଙ୍କ ଖୁସିରେ ମୁଁ ହୁଏ ସନ୍ତୋଷ l
ପିଲାଙ୍କ ପାଠପଢା ଖେଳକୁଦ ବୁଝେ
ଦିଏ ଉଚିତ ଶିକ୍ଷା ଓ ସଂସ୍କାର
ସବୁ ଗୁରୁ ଦାୟିତ୍ୱ ବହନରେ
ନ ଥାଏ କେବେହେଁ ହେଳା ମୋର
ଛୋଟ ବଡ଼ ସବୁ ସୁବିଧା ଅସୁବିଧା
ସ୍ୱାମୀଙ୍କ ପୂର୍ବରୁ ସମ୍ଭାଳି ନେବାକୁ ମୁଁ ତତ୍ପର l
କେବେ ପ୍ରଣୟିନୀ କେବେ ପ୍ରେମିକା
ସ୍ୱାମୀ ପାଇଁ ସାଜେ ଅଭିସାରିକା
ମାତୃତୁଲ୍ୟ ହୋଇ ପୁଣି କେବେ
ସେବା ଓ ମମତାର ଝରାଏ ଗଙ୍ଗା
ବନ୍ଧୁ ସମ ଜାଣେ ମନର କଥା
ବାଣ୍ଟିନିଏ ସବୁ କଷ୍ଟ ଓ ବ୍ୟଥା l
ତଥାପି ଯେବେ ଘରୁ ଗୋଡ଼ କାଢ଼େ
ସମାଜ ଶୁଣାଏ ଏହି ଅସହନୀୟ ଉକ୍ତି
" ଓ ! ଆପଣ ତା ହେଲେ କିଛି କରନ୍ତିନି "
ଭାଙ୍ଗିଯାଏ ମନ, ଆଘାତ ପାଏ ଆତ୍ମବିଶ୍ୱାସ
ଦୋହଲିଯାଏ ଧେର୍ଯ୍ୟ ର ବନ୍ଧ
ସତରେ ! କାମ କରିବାର ସଂଜ୍ଞା କଣ ଏୟା ରଖିଛି ମଣିଷ ?
ସେ ସବୁ ବି ସହିଯାଏ ଜଣେ ଗୃହିଣୀ
ଯିଏ ସବୁ ବାହାରେ କୁହନ୍ତି ସେ ତ ପର
କିନ୍ତୁ ବଢିଯାଏ ମୋ ହୃଦୟ ବେଦନା
ଯେବେ କ୍ଷତ ଦେଇଯାଏ କେହି ନିଜର
କହି ସେହି ବାକ୍ୟ ବାରମ୍ବାର
" କଣ କରୁଥିଲ କି ଦିନସାରା ? କିଛି ତ କାମ ନାହିଁ ତମର l "