ମୁଁ ଗୃହିଣୀ
ମୁଁ ଗୃହିଣୀ
ମୁଁ ସୁର୍ଯ୍ୟକୁ ନିଦରୁ ଉଠାଏ
ଉଠ ସକାଳ ହେଲାଣି କହି।।
କେବେ କେବେ ହଟାଏ ବି
ରାତିର କଳା ପରଦା।।
ଆଉ କେବେ କୁକ୍କୁଟର କଣ୍ଠରେ
ସଜାଡିଦିଏ..
ତାର ପ୍ରଭାତୀ ସ୍ୱର।।
ମୁଁ ନାରୀ ମୁଁ ଗୃହିଣୀ
ସକାଳର ଅଳସ ନିଦ
ମୋ ଭାଗରେ ବା କାହିଁ।।
ଚା କପର ମିଠା ଧୂଆଁର ବାସ୍ନାରେ
କାହିଁ ବା ମୋର
ନିଦ ଛଡେଇବାର ଆସ୍ପର୍ଦ୍ଧା।।
ଚରକି ପରି ମୁଁ ଘୁରୁଥାଏ
ବେଡ଼ରୁମରୁ କିଚେନ
ଡାଇନିଂ ରୁ ଡ୍ରଇଂ।।
ପୁଅ ପାଇଁ ପୁରୀ
ଝିଅ ପାଇଁ ମସଲା ଉପମା
ଆଉ ତାଙ୍କ ପାଇଁ ମନଜାଣି
ବ୍ରେକଫାଷ୍ଟ ସହ ଲଞ୍ଚ।।
ଶାଶୁଙ୍କର ପୂଜା ସଜ ସଜାଡୁ ସଜାଡୁ
ସ୍ୱସୁରଙ୍କର ସରୁ ଚକୁଳି।।
ଆଉ ମୋ ପାଇଁ
ମୋର ବା ପସନ୍ଦ ଅପସନ୍ଦ କଣ
ବାହା ବେଦୀର ଅଗ୍ନି କୁଣ୍ଡରେ
ମୁଁ ଆହୁତି ଦେଇଛି
ମୋର ସବୁ ପସନ୍ଦ ଅପସନ୍ଦ
ଇଛା ଅନିଚ୍ଛା।
ଘର ବାଡ଼ି ପିଲା ଛୁଆ ବନ୍ଧୁ ବାନ୍ଧବ
ଶାଶୂଘର ଆଉ ବାପଘର
ସମୟ ମୋ ବାଣ୍ଟିଯାଏ ଟୁକୁଡା ଟୁକୁଡା ହୋଇ
ହେଲେ କାହିଁ
ମୋ ନିଜର ବୋଲି ଚିରୁଡ଼ାଏ ସମୟ।।
ମୁଁ ତ୍ୟାଗର ଦେବୀ
ତେଣୁ ମୋତେ ଅଧିକାର ମାଗିବା ମନା
ସର୍ବସଂହା ଧରିତ୍ରୀ
ତେଣୁ ମୁହଁ ଖୋଲିବା ପାପ।।
ମୁଁ ବୋହୁ ପତ୍ନୀ ମାଆ
ନିଜକୁ ମଣିଷ ବୋଲି
ଭାବିବା ଅଯୌକ୍ତିକ।।
ମୋ ଜୀବନର ପରିଧି
ଗୋଟିଏ ସମ୍ପର୍କରୁ ଆଉ ଗୋଟେ
ଠିକ ପଘା ବନ୍ଧା ସୁଧାର ଗାଈଟି ପରି
ଗୋଟିଏ ଖୁଣ୍ଟରୁ ଆଉ ଏକ ଗୋଟେ ଖୁଣ୍ଟ ପଯ୍ୟନ୍ତ।।
ମୋ ପାଇଁ ନାହିଁ ରବିବାର
ନା ଅଛି ଛୁଟିଦିନ ନା ପୁନେଇ ପର୍ଵ
ସବୁ ସକାଳ ସବୁ ସନ୍ଧ୍ୟା
ମୋ ପାଇଁ ଏକାକାର।।
ବ୍ରେକଫାଷ୍ଟ ଲଞ୍ଚ ଆଉ ଡିନରର
ଚକ୍ରାକାର ପରିଧିରେ
ସରିଯାଏ ମୋ ସବୁ ତକ ଆୟୁଷ।।
ମାଆ ମୋର କାନେ କାନେ କହିଛି
ଝିଅ ଲୋ ସ୍ୱାମୀ ମନ ବୁଝିବୁ
ତୋ ଇହ କାଳ ପର କାଳର ଦେବତା
ଶାଶୁ ଶ୍ୱଶୁର ମନ ନେଇ ଚଳିବୁ
ତୋର ଜୀଅନ୍ତା ଠାକୁର।।
ନଣନ୍ଦ ଦିଅର ମନ ରଖିବୁ
ତୋର ପୁଅ ଝିଅ ସମାନ।।
ହେଲେ ମୋ ମନ ...
ମୋ ମନ ବୁଝିବ କିଏ
କିଏ ବୁଝିବ ମୋ ପସନ୍ଦ ଅପସନ୍ଦ ଇଛା ଅନିଚ୍ଛା
ସ୍ୱାମୀ, ଶାଶୁ ଶ୍ୱଶୁର ନଣନ୍ଦ ନା ଦିଅର।।
ନା ମୋ ପାଟିରୁ ଏ ପ୍ରଶ୍ନଟି ବାହାରିଲା
ନା ମାଆ ନିଜେ ଉତ୍ତର ଦେଲା।।
ମନରେ ମନରେ ମରିଗଲା
କେତେ କଥା କେତେ ପ୍ରଶ୍ନ।।
ମୁଁ ନାରୀ ମୁଁ ଗୃହିଣୀ
ଲୋକଙ୍କ ପାଇଁ ମୁଁ ଘରର ଅଧିକାରିଣୀ
ମୁଁ ଜାଣେ ମୁଁ କିଏ
ମାଲିକାଣି ନା ଚାକରାଣୀ
ନା ମୁଠାଏ ଭାତ ମୁଣ୍ଡ ଉପରେ ଛାତଟେ ବଦଳରେ
ବନ୍ଧା ପଡିଯାଇଥିବା
ଖାଲି ଜଣେ ସେବାକାରିଣୀ।।
ରାଜବାଳା ତ୍ରିପାଠୀ