ଗାଆଁର ବଡ଼ ପରବ
ଗାଆଁର ବଡ଼ ପରବ
ଦୋଳଯାତ ଆଜି ଦେଖିବା ପାଇଁକି
ମାମୁନି ହେଲାଣି ସଜ ,
କେତେ ପରକାର ଦରବ ଆଣିବ
କରିବ ଭାରି ମଉଜ ।
ଘୋଡ଼ା, ହାତୀ-ଛତି, ରଙ୍ଗ ପିଚକାରି
ଲୁଡ଼ୁଗୋଟି-ପେଏଁକାଳି ,
ଯାତରୁ ଏ ସବୁ ଆଣିବ ବୋଲି ସେ
ଖୁସିରେ ମାରୁଛି ତାଳି ।
ମାଆ କରିଛନ୍ତି କେତେ ଜାତି ପିଠା
ଖାଇକି ସେ ଚୁଲୁବୁଲି ,
ସାଙ୍ଗମେଳେ ତା'ର ଗପୁଛି ସେ କଥା
ଆନନ୍ଦରେ ବୁଲିବୁଲି ।
ଅଳକା, ମାଳିନୀ,ସୁପ୍ରିୟା, ପ୍ରତିମା
ସଭିଏଁ ତ ଭାରି ଖୁସି ,
ଯାତ ବୁଲିଯିବେ,ମଉଜ କରିବେ
ସାଥୀ ହୋଇ ମିଳିମିଶି ।
ଦୋଳ ମଣ୍ଡପରେ କୃଷ୍ଣ ବିଜେ ହେବେ
ଖେଳିବେ ରଙ୍ଗ ଅବିର ,
ସମସ୍ତେ ତାଙ୍କରି-ଦରଶନ କରି
ଆନନ୍ଦେ ହେବେ ବିଭୋର ।
ବରଷକ ପରେ ଆସିଛି ଏ ଯାତ
ଗାଆଁର ବଡ଼ ପରବ ,
ଆନନ୍ଦରେ ତେଣୁ ପାଳନ କରନ୍ତି
ଯେଣୁ ଏ ତାଙ୍କ ଗରବ ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।