ରଙ୍ଗବତୀ
ରଙ୍ଗବତୀ
ଶ୍ରେଣୀକୁ ଆସିଛି ସୁନ୍ଦରୀ ଝିଅଟେ
ନାଆଁ ତା’ର ରଙ୍ଗବତୀ
ରୂପରେ ଠାଣିରେ ବତାସ ବୁହଇ
ବୁଜି ହୋଇଯାଏ ଆଖି ।
ତଣ୍ଟି ଶୁଖିଯାଏ, ଓଠ ଥରିଉଠେ
ପାଖଦେଇ ଚାଲିଗଲେ
ଠୋପା ଠୋପା ଝାଳ ନିଗିଡି ପଡଇ
ଦେହେ ହାତ ବାଜିଗଲେ ।
ରଙ୍ଗବତୀ ଘର ଗାଆଁ ସେମୁଣ୍ଡେ ଲୋ
ଚାଲୁଥାଏ ବାଟ ଏକା
ଆଗେ ପଛେ ଚାଲି ଚଗଲିଆ ଟୋକା
ମାରନ୍ତି ଆଖି ମିଟିକା ।
ପାଠପଢା ଛାଡି ଟୋକାଏ ଦେଖନ୍ତି
ଦିନରେ ତା’ର ସପନ
ମାଷ୍ଟ୍ରଙ୍କ ହାଲତ ତା’ଠାରୁ ଖରାପ
ହାଇଁପାଇଁ ହୁଏ ମନ ।
ଭୂଗୋଳ ମାଷ୍ଟର ମାନଚ୍ଚିତ୍ର ଆଙ୍କି
ଦେଖାନ୍ତି ବମ୍ବେଇ ଦିଲ୍ଲୀ
କୁହନ୍ତି, “ରଙ୍ଗ ଲୋ, ରାଜି ହେବୁ ଯଦି
ବୁଲେଇ ନେବି ମୁଁ କାଲି ।“
ଇତିହାସ ମାଷ୍ଟ୍ରେ କୁହନ୍ତି, “ତୋ’ ପାଇଁ
ପଲାସୀ ଯୁଦ୍ଧ ଲଢିବି
ନମିଳିଲେ ତୁହି, ଘରଦ୍ୱାର ଛାଡି
ଯୋଗୀ ମୁଁ ତ ହେଇଯିବି ।
ତୋ’ ପାଇଁ ସୁନ୍ଦରୀ, ନିନ୍ଦା ଅପବାଦ
କରିବି ଗଳାର ମାଳି
ଥରେ ମାତ୍ର ହଁ କହିଦେଲେ ତୁହି
ସବୁକିଛି ଯିବି ଭୁଲି ।“
ସାହିତ୍ୟ ପଣ୍ଡିତ ପ୍ରଶ୍ନୋତ୍ତର ଛାଡି
ପଢାନ୍ତି ଭଞ୍ଜଙ୍କ କାବ୍ୟ
ଇଂଲିଶ୍ ସାର୍ ଆଖିରେ ଠାରିକି
ଦେଖାନ୍ତି ବିଦେଶୀ ରାଜ୍ୟ ।
ପିଅନ ବୁଢାଟା କଥା କହୁ କହୁ
ଦେହେ ଦିଏ ହାତ ମାରି
ଦରୁଆନ୍ ଗେଟ୍ ଖୋଲିବ ବୋଲିକି
ରାସ୍ତାରୁ ଆସେ ଦଉଡି ।
ରଙ୍ଗବତୀ ଚାଲେ ହଲି ଦୋହଲିକି
ଉଠ ପଡ ହୁଏ ଛାତି
ହେଡ୍ ମାଷ୍ଟରଙ୍କ ଝରକା କବାଟ
ଅବେଳେ ଉଠଇ କମ୍ପି ।
କିଏ କହେ ପଢ ନପଢ, ସେଥିରେ
ଯାଏ ଆସେ କିଛି ନାହିଁ
ନମ୍ୱର ଦେବା ତ ମୋର କାମ ଅଟେ
ଭାବନା କରୁଛୁ କାହିଁ !
ସଭିଙ୍କ ଆଦର ସୋହାଗରେ ରଙ୍ଗ
ଶ୍ରେଣୀରେ ପ୍ରଥମ ହୁଏ
ଖାତା ବହି ସବୁ ବରଷ ତମାମ
ଥାକେ ସଜା ହୋଇ ରୁହେ ।
ଶ୍ରେଣୀ ପାଠପଢା ସରିଗଲା ଏବେ
ଆସୁଛି ବୋର୍ଡର ପାଳି
ରଙ୍ଗବତୀ ରଙ୍ଗ ଉତୁରି ଯାଉଛି
ପାଠ କଥା ଭାଳି ଭାଳି ।
କିଏ ସେ ପଡିବ ପିଠିରେ ତାହାର
ମେଟ୍ରିକ ପରୀକ୍ଷା ବେଳେ
ପାଠ ସହିତ ତ ସାକ୍ଷାତ ନଥିଲା
କାନ୍ଦିବା ହିଁ ସାର ହୁଏ ।
ମାଷ୍ଟ୍ରେ କହିଦେଲେ ଟିୟୁସନ କରି
ମୁଣ୍ଡେ ଦେବି ପାଠ ଭରି
ଅଙ୍କ ବିଜ୍ଞାନ ତ ବାଆଁ ହାତ କଥା
ପେଇଦେବି ବାଟି ଘୋରି ।
ସକ ସକ କାନ୍ଦି ରଙ୍ଗବତୀ କୁହେ,
“ସାର୍ ମୁଁ କରିବି କିସ ?
ଆପଣଙ୍କ ଗେହ୍ଲା ପାଇ ପାଇ ମୋର
ବିତିଛି ପୂରା ବୟସ ।
ଇଂରାଜୀ ଭୁଲିଛି, ଅଙ୍କ ବି ଭୁଲିଛି
ଭୁଲିଛି ଭୂଗୋଳ ବହି
ବିଷୟ କେଉଁଟା କେଉଁଥିରେ ଅଛି
କିଛି ବି ତ ମନେ ନାହିଁ !
ସବୁବେଳେ ମତେ ପ୍ରଥମ କରିଲ
ବାପା ବୋଉ ହେଲେ ଖୁସି
କୋଉ ମୁହେଁ ତାଙ୍କୁ କହିବି ଏବେ ମୁଁ
ପଢିନାହିଁ କେବେ କିଛି !
ଦୟାକର ସାର୍ , ଦେବି ଯାହା କିଛି
ରଖିଛି ଲୁଚେଇ କରି
ପାସ୍ କରିଦିଅ ବୋର୍ଡ ପରୀକ୍ଷାରେ
ନହେଲେ ଯିବି ମୁଁ ମରି ।
ଗାଆଁ ଦାଣ୍ଡେ ଆଉ ଚାଲି ପାରିବିନି
ଫୁଲେଇ ନିଜର ଛାତି
ଆଗରେ ପଛରେ ହସିବେ ସମସ୍ତେ
ମୁହଁ ମୋଡି ଦାନ୍ତି ଚିପି ।
ଭାବି ତ ନଥିଲି ଏପରିକା ଦିନ
ଦେଖିବାକୁ ହେବ ମତେ
ଦର୍ପଣ ଦେଖିକି ବିତିଛି ଜୀବନ
କରିବି ମୁଁ କିସ ସତେ !”
ମୁଣ୍ଡେ ହାତ ଦେଇ ବସିଗଲେ ମାଷ୍ଟ୍ରେ
ବୁଦ୍ଧିବାଟ ଦିଶୁନାହିଁ
କେମିତି କହିବେ ରଙ୍ଗକୁ ସେ ଆଉ
ତାଙ୍କ ହାତେ କିଛି ନାହିଁ !
ସ୍କୁଲ୍ ଭିତରର କଥାଟା ଦୁସୁରା
ନାହିଁ କେହି କହିବାକୁ
ଏବେ ପାଠ ପଢା ଆଖିବୁଜା ଲୋଡା
ପାସ୍ ଖାଲି କରିବାକୁ ।
କହିଲେ, “ରଙ୍ଗ ଲୋ, ଆରମ୍ଭ କରିଦେ
ଏବେ ଠାରୁ ପାଠ ପଢା
ନହେଲେ ଫେଏଲ ହେଇଯିବୁ ତୁହି
ମୁହଁ ହେଇଯିବ ତେଢା ।“
ଝର ଝର ଲୁହ ଝରି ଚାଲିଗଲା
ସୁନ୍ଦରୀ ରଙ୍ଗ ଆଖିରୁ
କହିଲା, “ଇଂରାଜୀ ବନାନ ଶିଖାନ୍ତୁ
ଆଗ ପ୍ରଥମ ଶ୍ରେଣୀରୁ ।
ମିଶାଣ ଫେଡାଣ ଶିଖାନ୍ତୁ ବସିକି
ଶିଖାନ୍ତୁ ବି ହସ୍ତାକ୍ଷର
ବିଜ୍ଞାନ, ଭୂଗୋଳ, ସଂସ୍କୃତ, ଓଡିଆ
ପଢାନ୍ତୁ ସବୁ ଏଥର ।
ବହି ଖୋଲିଦେଲେ, ନିଦେ ଆଖି ମୋର
ହୋଇଯାଏ ଟଳମଳ
ପଶୁନାହିଁ ପାଠ, ଯେତେ ପଢିଲେ ବି
ସବୁ ଲାଗେ ଗଣ୍ଡଗୋଳ ।
ଫେଲ୍ ହେବି ଯଦି, ଦଉଡି ମୁଁ ଦେବି
ରଖି ତୁମ ନାମେ ଚିଠି
ଅତ୍ୟାଚାର ସହି ନପାରି ମରୁଛି
ବୋଲି ଦେଇଥିବି ଲେଖି ।
ପ୍ରଥମ ଶ୍ରେଣୀରେ ପାସ୍ କରିବି ମୁଁ
ଦିଅ ମତେ କଥା ଆଜି
ନହେଲେ ଗୁମର ସବୁ ଫିଟେଇବି
ବୁଦ୍ଧିବାଟ ଯିବ ହଜି ।
ଦୋଷ ସବୁ ଅଟେ ତୁମର ସାର୍ ହେ,
କାହିଁକି ଭୋଗିବି ମୁହିଁ
ପାସ୍ ଯଦି କରି ନପାରିବି ତେବେ
କି ଲାଭ ସୁନ୍ଦରୀ ହେଇ !
ଏଇ ରୂପ ଯଦି ମେଟ୍ରିକ୍ ରେ ମତେ
ଦେବ ନାହିଁ ଭଲ ଫଳ
ଜାଣି ରଖିଥାଅ ସାର୍ ଆଜିଠୁ
ପୂରିବ ତୁମର କାଳ ।“
ସାର୍ ଙ୍କ ପାଟିରୁ ବଚନ ବାହାରି
ପାରୁନାହିଁ ଆଉ କିଛି
ରଙ୍ଗର ମୁହଁଟା ଏତେ କଦାକାର
ନଥିଲା କାହିଁକି ଦିଶି ?
ଆଖିରୁ ନଝରି ଛାତିରୁ ଝରୁଛି
ଲୁହ ନୁହେଁ ଲହୁ ଧାର
କାହିଁକି ସୁନ୍ଦରୀ ପଛରେ ପଡିକି
ଉଜାଡି ଦେଲେ ସଂସାର !
ଘରଦ୍ୱାର ଗଲା, ଚାକିରି ବି ଯିବ
ନକରିଲେ ରଙ୍ଗ ପାସ
ସୁନ୍ଦରୀ ମାୟାରେ ପଡିଲାର ଖାଲି
ରହିଯିବ ଅବସୋସ ।
-0-