ସପନ ଦେଖା ସରିଛି
ସପନ ଦେଖା ସରିଛି
ସପନି ଆଜାଙ୍କ ନାହିଁ ଆଉ ସେହି ବିଛଣା
ହାତ ତିଆରି କନ୍ଥା ତଳେ ସପ ମଶିଣା
ସପନ ଦେଖିକି ପଡୁନାହିଁ ସେ ଭୁଇଁରେ
ଗାଁ ଛାଡ଼ି ଏବେ ରହୁଛି ପରା ସେ ସହରରେ ।।
ନରମ ରେଶମୀ ଦିଆ,
ଡୋଲଫୋ ଗଦିରେ ଶୋଉଛି
ବେଶଭୁଷା ସବୁକିଛି,
କ'ଣ ଆଗ ପରିକା ରହିଛି ?
ଚାକିରିଆ ପୁଅର ମିଜାଜ୍ ସହ ଚାଲିବାକୁ
ଶତ ଚେଷ୍ଟା ସେ କରୁଛି,
ବୃଦ୍ଧ କାଳରେ, ନୂଆଁ ଚଳଣିଟା
କ'ଣ ସହଜେ ଦେହସୁଆ ହଉଛି !
ବିଛଣା ଛାଡ଼ିକି,
ଗଦିରେ ଶୋଇବା ଦିନୁ
ଅଣ୍ଟାଟା ଦରଜ ହେଉଛି,
କିନ୍ତୁ,
ଓଃ ! ଆଃ ! କରି ସହୁଛି,
ପୁଅର, ଇଂଗିଲିସି ଭୁସିକୁ ଡରୁଛି
ମଝିରେ ମଝିରେ ଗାଁ କଥା କେତେ ଭାବୁଛି
ସପନ ଦେଖା ସାଥି ବିଛଣାକୁ ନିତି ଝୁରୁଛି
କିନ୍ତୁ
ଉହୁଃ ଆଃ ! ହୋଇ ସବୁ କଷଣକୁ ସହୁଛି ।।
ଯିବ ଯିବ ଭାବି ଗାଁକୁ ତା'ର
କେତେ ମନ ସେ କରୁଛି
ଏଣେ, ପୁଅ ସନ୍ନମାନ କଥା
ଅଚିରେ ମନେ ପଡ଼ୁଛି
ମନକୁ ବୁଝେଇ ଦେଉଛି
ଉହୁଃ ! ଆହାଃ ! ହୋଇ ସବୁ କଷଣକୁ ସହୁଛି ।।