ସ୍ରଷ୍ଟା ତୁମେ ଚମତ୍କାର
ସ୍ରଷ୍ଟା ତୁମେ ଚମତ୍କାର
ମୁଁ ଜାଣେ ,
ତୁମେ ଗଢିପାର ଶବ୍ଦର ମାଧୁର୍ଯ୍ୟରେ
ଆଉ ଗୋଟେ ପୃଥିବୀକୁ ତୁମ ଲେଖନୀ ମୁନରେ ,
ଆଉ ମନର ପରିଭାଷାକୁ ଆଙ୍କିପାର ବେଶ୍ ସ୍ପଷ୍ଟ ଭାବରେ
ଖଣ୍ଡେ ସାଦା କାଗଜର ଛାତି ଉପରେ ।
ଖଣ୍ଡେ ଖଣ୍ଡେ ଇଟା ଯୋଡି
ସୁନ୍ଦର ମହଲ ଟିକୁ ଜୀବଦାନ ଦେଲାଭଳି
ତମେ ଖଣ୍ଡେ ଖଣ୍ଡେ ଶବ୍ଦ ଯୋଡି
ବାସ୍ତବକୁ ଜୀବଦାନ ଦେଇପାର ,
ପୁଣି କେବେ କେବେ ସେଇ ଶବ୍ଦ ସବୁକୁ ଯୋଡି
ତୁମେ ତୁମ ଲେଖନୀ ମୁନରେ ଈଶ୍ୱରଙ୍କୁ ବି ମାରିପାର ।
ବାଃ
ସ୍ରଷ୍ଟା ତୁମେ ଚମତ୍କାର
ଆଉ ତୁମ ଲେଖନୀ ସତରେ ଚମତ୍କାର ।
ବେଳେ ବେଳେ ତୁମ ଶବ୍ଦ ସଜାରେ
ଓଠ ପାଲଟି ଯାଏ ହସରୂପୀ ଫୁଲ ମାନଙ୍କର
ସୁନ୍ଦର ବଗିଚା ତ
ଆଖି ପାଲଟି ଯାଏ ନିର୍ଝର ଝରଣା ,
ପୁଣି କେବେ କେବେ ମନ ହଜି ଯାଏ ତୁମ ଶବ୍ଦ ସହରରେ
ହୃଦୟ ବି ଖୋଜି ପାଏନା ତା ପ୍ରକୃତ ଠିକଣା ,
କାରଣ ତୁମ ଶବ୍ଦ ଯେତିକି ସରଳ ସେତିକି ବି ଭୟଙ୍କର ।
ବାଃ
ସ୍ରଷ୍ଟା ତୁମେ ଚମତ୍କାର
ଆଉ ତୁମ ଲେଖନୀ ସତରେ ଚମତ୍କାର ।