ଅଢ଼େଇ ହାତର ଭୂମି
ଅଢ଼େଇ ହାତର ଭୂମି
ଅଢ଼େଇ ହାତର ଭୂମି
ପ୍ରମୋଦ ପ୍ରଧାନ
ଉଠ କଙ୍କାଳ, ଜାଗ କଙ୍କାଳ
ଏଇ ମାଟିର ମହକ ଚୁମି,
ଅୟୁତ ଯୁଗର ତୋ ଚର୍ମ ଖର୍ପର
ମଟାଳକୁ ମର୍ମି ମର୍ମି !
କୋଟି ଅଶ୍ୱଖୁରା ବଳବୀର୍ଯ୍ୟ ଧରି
ଗୁମୁରିଉଠୁ ତୋ ଅସ୍ଥି !
ଅସ୍ଥିମଜ୍ଜା ତୋର ନୁହେଁ ତ ଦୁର୍ବଳ
ଅନଳ ବକ୍ଷର ଉର୍ମି ।
ପୌରୁଷ ଗର୍ଭରୁ ଔରସକୁ ଆଣି
ପିଇଯା ପବନ-ପାଣି,
ତିଳ ତର୍ପଣରେ ସଜା ତୋ ଲଲାଟ
ଆୟୁଷକୁ ବୁଣିବୁଣି !
ପାଖଣ୍ଡି ଜରାୟୁ ପାଟିରେ ଖାଇଯା
କମିଆସୁ ବଂଶ ଆୟୁ,
ସ୍ନାୟୁ ଧମନୀକୁ ଦାନ୍ତରେ ବିଧ୍ୱଂସି
ବିସ୍ତାରିଥା ସପ୍ତଫେଣୀ !
କୁଟିଳ କୌପିନ କାମନା-ବାସନା
ଯେତେ ଅଛି ନଗ୍ନ ବହ୍ନି,
କାଳନାଗ ଫାଶେ ବାନ୍ଧିପକା ସବୁ
ମରମକୁ ଚିହ୍ନିଚିହ୍ନି ।
ଚକ୍ରବାତ ସ୍ୱତ୍ୱ ଚିହ୍ନବର୍ଣ୍ଣ ଘେନି
ଜାଳିଦେ ଚେତନା-ଗ୍ଲାନି,
ଦିବ୍ୟଚେତନାର ପରଶ ମାତ୍ରାରେ
ବାଜିଉଠୁ ଶଙ୍ଖଧ୍ୱନି !
ଉଠ କଙ୍କାଳ, ଜାଗ କଙ୍କାଳ
ଆଉ ରକ୍ତ ନଯାଉରେ ଥମି,
କ୍ରାନ୍ତିର ଦିହୁଡ଼ି-ତଳେ କମ୍ପିଉଠେ
ଅଢ଼େଇ ହାତର ଭୂମି !
ଫ୍ରେଣ୍ଡସ୍ କଲୋନୀ, କଟକ
ଫୋନ : ୯୪୩୭୧୮୨୭୮୫
*****