ସାଥି
ସାଥି
ନାମଯଜ୍ଞ ମିଶ୍ର
ନିଃଶ୍ୱାସକୁ କି ବିଶ୍ୱାସ ଅଛି ?
ଆସେ , ଯାଏ , ମାୟା ରଚେ
ସଙ୍କଟରେ ପଳାଏ ମୁରୁଛି ।
ପବନଟା କାହା ‘ସାଥି’ ନୁହେଁ
ଫମ୍ପା ମାଠିଆରେ ରଚେ ରାସ ,
ସାଥି ହୋଇ ଆଶ୍ଳେଷେ ଜଡାଇ
ଛିନ୍ନକରେ ବର୍ଷାର ଆୟୁଷ ।
ବାଦଲ ହିଁ ବରଷାର ସାଥି
ସ୍ରବିତାରେ ଢାଳଇ ପୀୟୁଷ ।
ବରଷାକୁ କରେ ମହିୟାନ୍
ଆପଣାକୁ କରିଣ ନିଃଶେଷ ।
ଆକାଶର ସାଥି ଚନ୍ଦ୍ର , ସୂର୍ଯ୍ୟ
ତାରାଗଣ ନୁହନ୍ତି ବାନ୍ଧବ ,
ଦେହାଶ୍ଳେଷୀ ଉରଗ ନ ପାଏ
ଚନ୍ଦନର ମିତ୍ରର ଗୋðରବ ।
ଦୂର ମଳୟ ତା’ ମିତ୍ର ପଣେ ,
ଅଙ୍ଗେ ତା’ର ଭରଇ ସୁବାସ
ସାଥି ସିନା ସିଏ । ଯିଏ ନିଜ ତ୍ୟାଗ
କରିଥାଏ ଆମରି ବିକାଶ ।
ସେ ସିନା ପ୍ରକୃତ ସାଥି । ଯିଏ ସାଥି ପାଇଁ
ଆପଣାକୁ କରେ ଉତ୍ସର୍ଗିତ ,
ସଂପଦେ , ବିପଦେ ସହାଁ ରହି
ପ୍ରାଣବୀଣା କରାଏ ଝଙ୍କୃତ ।