ଶୀତ
ଶୀତ
ଶୀତ
ଡଃ ଶଶୀ ଭୂଷଣ ମହାପାତ୍ର
ଶୀତ ଆସେ ତୁମ ଗାଁ ରାସ୍ତା ଦେଇ
ନଈ ପାହାଡ଼ ଜଙ୍ଗଲ ଛୁଇଁ ଛୁଇଁ
ଦେହକୁ ଟାଙ୍କୁରାଇ ମୋ ସହରକୁ |
ତା’ ସହ କୁହୁଡି ଧରିଚି ହାତ
ଜହ୍ନ ବି ବସିଛି ମିତ ଢାଳିବାକୁ
ରୁପାର ପର|ତ,
ମାଟିଠୁ ଆକାଶ ବିସ୍ତାରିତ ହୋଇ
ଶୀତ ଥରାଉଅଛି ଗାଁ ଓ ସହର|
ବୈଶାଖୀ ଖରା, ପାଣି ଶୋଷି ନେଲା ପରି
ଶୀତ ଆଜି ଟାଣି ନିଏ ଦେହର ଉତ୍ତାପ
କମ୍ବଳ ସ୍ଵେଟର,ଜ୍ୟାକେଟ,କୋଟ
ରୋକି ପାରୁ ନାହିଁ, ଥରି ଉଠେ ପଞ୍ଜରା ହାଡ|
ଓଠର ପାଖୁଡା ଫିଟୁନାହିଁ, ଫୁଟୁ ନାହିଁ କଦମ୍ବ
କଇଁତ ଫୁଟିଲାଣି, ଫୁଟିଲାଣି ଗେଣ୍ଡୁ
କ୍ଷେତରେ ଏବେ ସୋରିଷ ଫୁଲର ସମ୍ଭାର,
ଉପବନେ ଫୁଲମାନେ ଫୁଟନ୍ତୁ ଏଥର
ହେଲାଣିତ ଫୁଟିବାର ବେଳ,
ମହୁ ମାଛି ଗାଁନ୍ତୁ ସଂଗୀତ,
ଭଅଁର ହେଲେଣି ସବୁଠି ମେଳ
ଚୁମିବାକୁ ଫୁଲଙ୍କୁ ଏଥର |
ଶୀତ କୁହୁଡି ଏଇନେ ଅଛି, ଏଇନେ ନାହିଁ
ଗାଁ ତୁମର ଏଇ ଦିଶୁଚି,ଏଇ ଦିଶୁନି
ବୁନ୍ଦା ବୁନ୍ଦା ପାଣି ପତ୍ରରୁ ଝରିପଡ଼ୁଛି
କଅଁଳ ଖରାରେ କାକର ମୁକ୍ତ ପରି ଦିଶୁଛି|
ଊହ୍ନେଇ ସେଠି କିଏ ଜାଳୁଛି
ବୁଢା ବୁଢ଼ୀ କିନ୍ତୁ ଦେହ ସେକୁଛନ୍ତି
ପ୍ରେମର ପିଡାରେ କେତେ ମନ ମରୁଛି
କାହା ଦେହ ଜଳୁଛି, ତଥାପି ଶୀତ
ଦେହରେ ପୁଲକ ଭରୁଛି ,
ଥରିଲା ଓଠରେ ମୟୂଖ ଝରୁଛି |
କୁହୁଡି ଆଉ ପବନ ହାବୁକାରେ
ଜାକି ହୋଇ ସୋଇଛି ସହର ଏଠି,
ନିଦ ନାହିଁ ଆଖିରେ,ତାତି ନାହିଁ ଦେହରେ
ଚୋରାଇ ନେଇଛି ସେ ସବୁ ଉତ୍ତାପ
ଜଳିବାକୁ ଦେହ ସେଠି ଯେତକ |
ଶୀତ ଭରିଦିଏ ଆଖିରେ ପ୍ରଚୁର କୁହେଳି
ମୁଁ ଜାଣିଚି, ତା' ମାୟାରେ ବାୟା ହୋଇ
ଗାଁ ଦିଶେ ସତେ ଏକ ଭାସମାନ ତରୀ
ସହର ହୋଇଯାଏ ସ୍ୱପ୍ନର ମାୟାପୁରୀ
ଶୀତ ଏମିତି ଆଙ୍କିଦିଏ କୁହୁଡ଼ିରେ ଛବି,
ଭିଜେଇ ତା’ ମନ,ମୋ ମନ ଧରଣୀ ଦେହରେ |
ଶିରି ଶିରି ପବନରେ, ଶୀତର ସ୍ପର୍ଶାନୁଭବ
ଦେହରେ ସଞ୍ଚରି ଯାଉଛି,
ଋତୁ ସବୁ ଆସୁଛନ୍ତି, ଯାଉଛନ୍ତି
ସେ କିନ୍ତୁ ଉଲ୍ଲାସ ଖେଳାଇଦେଇ
ଖେତ ବାଡ଼ିରେ ଫସଲ ଅଜାଡି ଦେଇ
ପ୍ରତି ମୁହୁର୍ତରେ ଜୀବନକୁ ଷ୍ପନ୍ଦିତ କରି,
ଆଶା ଆଶଙ୍କାର ଅନେକ ରଙ୍ଗରେ
ଆମ ସମସ୍ତଙ୍କୁ ଜାବୁଡି ଧରିଛି |
*********************