ଆଣ୍ଟିକ୍ ପିସ୍
ଆଣ୍ଟିକ୍ ପିସ୍
ବାବୁ ଆଣିଥିଲେ ପଥର ମୂର୍ତ୍ତିଟେ
ଥୋଇଥିଲେ ପିଣ୍ଡି ପରେ
ଅଫିସ୍ ଫେରନ୍ତି ବାଟେ କିଣିଥିଲେ
ମାତ୍ର ପଚାଷ ଟଙ୍କାରେ ।
ଛୋଟିଆ ଝିଅଟେ ବିକୁଥିଲା ଛକେ
କରିଲା ଗୁହାରି ଆସି
ସକାଳ ପହରୁ ଭୋକିଲା ଅଛି ମୁଁ
ନେଲେ ବାବୁ ହେବି ଖୁସି ।
ଦୟା ପରବଶ ହୋଇ ବାବୁ ମୂର୍ତ୍ତି
କିଣିଲେ ନଥାଇ ଇଚ୍ଛା
ରଙ୍ଗଛଡା ମୂର୍ତ୍ତି ଥିଲା ତ ସେଇଟା
ତା’ ସାଙ୍ଗକୁ ମୁହଁ ତେର୍ଚ୍ଛା ।
ପତ୍ନୀଙ୍କର କ୍ରୋଧ ଅନୁମାନ ଯୋଗ୍ୟ
ପୂରେଇବ ନାହିଁ ଘରେ
ସେଥିପାଇଁ ମନେ ଦ୍ୱିଧା ଆସିଲେ ବି
କିଣିଲେ ପଡି ବାଧ୍ୟରେ ।
ପିଣ୍ଡି ପରେ ରଖୁ ରଖୁ ସାନଝିଅ
ଝପଟି ଆସିଲା କାହୁଁ
ଗୋଡ ଭାଙ୍ଗିଦେଲା, ନାକ ତାଡିଦେଲା
ହାଁ ହାଁ କହୁ କହୁ ।
ବିକୃତ ଆଗରୁ ଥିଲା ସେଟା ଯାହା
ଏବେ ହେଲା କଦାକାର
କୋଉ ମୁହେଁ ନେଇ ଦେବେ ସେ ଏଇଟା
ପତିନୀଙ୍କୁ ଉପହାର !
ଫିଙ୍ଗିବାକୁ ହେବ ଅଳିହା ଗଦାରେ
କରିଲେ ବାବୁ ଭାବନା
ଅଯଥାରେ ଆଜି ପଚାଷ ଟଙ୍କାର
ପଡିଗଲା ଜୋରିମାନା ।
ପତ୍ନୀ ଆସିଗଲେ ପାଛୋଟି ନେବାକୁ
ଅଫିସ୍ ଫେରନ୍ତା ସ୍ୱାମୀ
କି ଅଛି ହାତରେ, ଦେଖୁ ଦେଖୁ ଭାବେ
ନିଶ୍ଚେ ହେଇଥିବ ଦାମୀ ।
ଆଶ୍ଚର୍ଯ୍ୟରେ ଆଖି ବଡ ବଡ କରି
ପଚାରିଗଲା ସେ ପ୍ରଶ୍ନ
କାବା ହେଇ ବାବୁ ଚାହିଁ ଭାବୁଥିଲେ
ରାତି ହେଲା ଅବା ଦିନ !
“କୋଉଠୁ ପାଇଲ ଏ ଆଣ୍ଟିକ୍ ପିସ୍ କୁ
କଲ କି କେଉଁଠୁ ଚୋରି
ସେଦିନ ଶ୍ରୀମତୀ ବେହେରାର ଘରେ
ଦେଖିଥିଲି ଏହିପରି ।
କୋଉ ଗୋଟେ ରଜା ଅମଳର ସେ’ଟା
କହିଲା ଛାତି ଫୁଲେଇ
ସ୍ୱାମୀ ଆଣିଛନ୍ତି ପ୍ରେମରେ ତା’ ପାଇଁ
ହୋଇଲା ଭାରି ଗେହ୍ଲେଇ ।
ଦାମ୍ ଥିଲା ତା’ର ଲକ୍ଷକ ଉପରେ
ଆଣିଥିଲେ ବିଦେଶରୁ
ସେଦିନରୁ ମନେ ଭାବିଥିଲି ଦିନେ
ଭାଙ୍ଗିବି ନିଶ୍ଚେ ତା’ ଗରୁ !
ଯେତେ ଖର୍ଚ୍ଚ ହେଉ, ଆଣ୍ଟିକ୍ ପିସ୍ ଟେ
ଆଣିବି କେମିତି କରି
ନହେଲେ ମହିଳା ମିଟିଙ୍ଗିରେ ଆଉ
ଯିବିନି ମହତ ସାରି ।
ଏ’ଟା ନିଶ୍ଚେ ହେବ ତା’ ଠାରୁ ପୁରୁଣା
କହୁଛି ତା’ ରୂପଭେକ
କାଲି ବେହେରାକୁ ଡକେଇ ଦେଖେଇ
ରଖିବି ନିଜର ଟେକ ।
କୁହ ପ୍ରିୟତମ, କୋଉଠୁ ଆଣିଲ
ଦାମ୍ ବା ତାହାର କେତେ
କେମିତି ଜାଣିଲ ମୋ ମନ ବେଦନା
ଖର୍ଚ୍ଚି ଦେଲ କେତେ ସତେ !”
ସ୍ୱପ୍ନ ଦେଖୁଛନ୍ତି, ଅବା ଅଟେ ସତ
ଦେଖନ୍ତି ବାବୁ ଚିମୁଟି
ପଚାଶ ଟଙ୍କିଆ ମୂର୍ତ୍ତି ଭାଙ୍ଗିଗଲେ
ଆଣ୍ଟିକ୍ ପାଲଟେ କି ଏଠି !
ଦାମ୍ ହେଇଯାଇ ହଜାରେ ଲକ୍ଷେ
ଶୋଭା ପାଏ ଆଲମିରାରେ
ସେ ମୂର୍ତ୍ତିର ବଢେ ଚାହିଦା ଅନେକ
ଭଙ୍ଗାତୁଟା ହେଲା ପରେ ।
ମିଥ୍ୟା ବଡିମାର, ଢୋଲ ପିଟା ଲୋକେ
ଅଛନ୍ତି ଏଇଠି ଯେତେ
ସେମାନଙ୍କ ପାଇଁ, ଏ ମୂର୍ତ୍ତିଟା ଅଟେ
ମୌର୍ଯ୍ୟ ଯୁଗର ସତେ !
ହସିଦେଇ ବାବୁ ଶ୍ରଦ୍ଧାରେ କହିଲେ,
“ଖାସ୍ ତୁମ ପାଇଁ ପ୍ରିୟେ
ବିଦେଶ ମାଟିରୁ ମଗେଇଛି ଏ’ଟା
ଖର୍ଚ୍ଚି ଲକ୍ଷେ ଟଙ୍କା ପ୍ରାୟେ ।
ତୁମ ସନମାନ ମୋ ପାଇଁ ଅଧିକା
ଟଙ୍କା ଅଟେ ବଡ ଛାର
ତୁମ ଖୁସି ପାଇଁ ଗୋଟାଏ କଅଣ
ଆଣିବି ଆଣ୍ଟିକ୍ ହଜାର !
-0-