ଅସୂୟା
ଅସୂୟା
ମନ୍ମଥନାଥ ବରାଳ
ଶୋକକୁ ମୁଁ ସାଇତିଛି ଅଶୋକ ବନରେ
ଭୋକ ମୋର ଭିକ ମାଗେ ଦାଦନ ଦୁଆରେ
ବିଶ୍ବାସକୁ ବିଷ ଦେଇ ମାରିଛି ମୁଁ କଲମ ମୁନରେ
କାହିଁକି...ନା...କଳଙ୍କିତ...କାଳାତୀତ ଶୋକ
ପେଟର ପାପିଷ୍ଠ ଭୋକ, ନିଷ୍ଠୁର ସତ୍ୟଟିଏ
ପ୍ରକାଶ ପାଇଁ, କବିତାର କିବା ପ୍ରୟୋଜନ ?
ଶ୍ରଦ୍ଧାର ଶିଂଶପାଡାଳେ ପରାଙ୍ଗ ପୋଷାକ ,
ପସ୍ତେଇବାକୁ ବାଧ୍ୟକରେ ବେଳେବେଳେ l
କା’ର ଗରଜ ପୋଡ଼ି ମରୁଛି;ସମ୍ବେଦନା ଶାରୀ
ପ୍ରପଞ୍ଜ ପଞ୍ଜୁରିରେ ପୋଷି ପ୍ରାରବ୍ଧ ପାପରେ
ଜଳୁଥିବ ବର୍ଷ ମାସ ଦିନ ଦଣ୍ଡ ତମାମ ଜୀବନ l
ଭଲ ପାଇବା କାହାର ବି ହୋଇପାରେ, ନିଜସ୍ୱ ଅଧିକାର
ହେଲେ; ଶାମୁକାଏ ଶୁଦ୍ଧ ସ୍ନେହ ଜଟିଳ ଜ୍ୟାମିତି
ଅମାମାଂସିତ ଚିର କାଳ l
ଦେଖୁନ, ଆପଣାର ଆଞ୍ଜୁଳାରୁ ପୋଷ ପୋଷ ଆୟୁଷ
କେମିତି ନିଗିଡି ପଡୁଛି ନିଃଶବ୍ଦରେ ଆହୋରାତ୍ର
କେବେ କେହି ନିଘା କରିଛି, ଅଦୃଶ୍ୟ ଜୀବନ ନଈ
ନିରବଧି ଧାବମାନ ଅବ୍ୟାଜରେ ...ଅଲକ୍ଷରେ
କୂଳ ଛୁଇଁ ଛୁଇଁ ....l
ଏ କୂଳେ ମାରିଚ ମାୟା ସେ କୂଳରେ କାନ୍ଦେ ବହିଦେହୀ l
ଶୁଣୁବାରି ଶୂନ୍ୟତାର ଅଣିମାଦି ଭୋଗ
ପ୍ରଲମ୍ବିତ ପକ୍ଷୀ କାକଳିରେ ସମ୍ମୋହିତ ପ୍ରାଣ
ପ୍ରଳୟ ପୟୋଧି ଜଳେ ବାୟବୀୟ ଅନୁଭବ
ନାହିଁ ଥଳକୂଳ l
ହେ ସୁଷୁପ୍ତ ମହାକାଳ !
ପ୍ରଣାମ ତୁମ ଗତି ପ୍ରକୃତ ସ୍ଵୟଂଭୂ ସ୍ଥିତିକୁ
ପୃଥିବୀ ନାମକ ଗ୍ରହର ଜୀବ ମଣିଷ
ଉଡିପାରେ ଗ୍ରହାନ୍ତରେ ଡହକ ଡେଣାରେ
ଦୁଃଖରେ ପଡ଼ିଲେ ... ଶୋକରେ ଶଢିଲେ
ନୈତିକତା ନିଅଁ, ସମୟ ଟିପରେ ଗଣିପାରେନା
ଦୁଃଖ ଶୋକ ଅନ୍ତୁରି ଅହନ୍ତା, ମଶାଣିର କାଠ କୋଳ ଜୁଇ ନିଆଁ
ଧାସ l
ତଥାପି ହେ ଅଦୃଶ୍ୟ ମହାକାଳ!
ସଂଶୟର ସମ୍ମୋହନ ତେଜି; ବିସ୍ମୃତ ସମାଧି ତଳୁ
ଶତାବ୍ଦୀର ସଂଯୋଜିତ ଶବ୍ଦ ସ୍ଵର ଲୟ ତାଳ ତୋଳି
ଲଳିତ ମଧୁର ଚପଳ ଛନ୍ଦରେ
କୋଳେଇ ନିଅ ଅଯୁତ ଯୁଗ ଆଶଙ୍କା
ଅଶୋକ ବନର ଶୋକ ଦାଦନର ଭୋକ
ମଣିଷର ଇଚ୍ଛା ଇତିହାସ l