ଚିତ୍ରଲେଖା
ଚିତ୍ରଲେଖା
କଳା ମେଘ ଭାସିଯାଏ ଦୂରକୁ ଦୂରକୁ ,
ବିରହର ଛବି ଆଙ୍କି ଦେଇ ।
ଆକାଶଟା ନୀଳ ଦିଶୁଥାଏ ,
ପ୍ରେମ ପାଇଁ ଅଭିସାରିକା ସାଜି ।
ପାଖୁଡାଏ ହସରୁ ବି ନିର୍ବାଣ ମିଳେ ,
ପୁଣି ସପନ ସିନ୍ଧୁକର ଚାବି ହଜିଯାଏ ।
ଆକାଶରୁ ଖସିଆସେ ଜହ୍ନ , ସାଜିବାକୁ ଯା'ର ମଥାମଣି ।
ଉଠିଥାଏ ରୋଷର ଜୁଆର , ପ୍ରାଙ୍ଗଣରୁ ତାର
ଝରିବା ପାଇଁ ।
ଶୁଭିଯାଏ ଶଙ୍ଖନାଦ , ଭିଜୁଥାଏ ରଙ୍ଗପାଦ
ତୁମ ପାଇଁ ଚିତ୍ରଲେଖା , ଆଜି ମୋ ପୃଥିବୀ ରଦ୍ଦ ।
ଅତୀତର ପ୍ରତ୍ୟେକ ଫର୍ଦ୍ଦ ରେ ତୁମକୁ ଖୋଜିବା ଆଗରୁ ,
ଆଖି ବୁଜି ଖୋଜିନିଏ ତୁମ ନିଖୋଜ ଅକ୍ଷାଂଶକୁ ।
ଭାବନାର ଅନ୍ତରାଳରେ କରାଘାତ କରୁଥାଏ କିଛି ଅସହିଷ୍ଣୁ ଗଳ୍ପର ସାରାଂଶ ।
ମୁଁ ଅନୁମତି ଦେବାର ବହୁତ ଆଗରୁ , କବ୍ଜା କରିନିଏ ମୋ ପ୍ରିୟ ଅତୀତର ବିଶେଷଙ୍କ ଉପରେ ।
ସୁଚିପତ୍ର ଓଲଟା ପାଲଟା ହେଇଯାଏ , ଝଡ ପରର ସହର ପରି ।
ପୃଷ୍ଠଭୂମିରୁ ଶବ୍ଦ ସବୁ ଝରିପଡନ୍ତି
କାକର ପରି ନା ଶ୍ରାବଣ ପରି ?
ଯେମିତି ବି ହେଉ , ସେମାନେ ଲାଗନ୍ତି ଖୁବ ଆପଣାର ,
ମୋ ପ୍ରିୟାର ସ୍ବେଦ ପରି ।