ଅତୃପ୍ତି
ଅତୃପ୍ତି
କବି ସୌରଭ ଅନୁପ ସିଂହ ଦେବ
ପିଇଲି ପ୍ରାଣ ଭରି ରଙ୍ଗ-ଅଧର-ସୁଧା,
ଶମିଛି ଯୁଗ ଯୁଗ ହୃଦ-ଦରଦୀ କ୍ଷୁଧା,
ନୟନ ଭରି ସଖି ! ଦେଖିଛି ରୂପ ତବ
ପ୍ରଣୟ ଦାନେ ତବ ପାଇଛି ଗଉରବ ।
ନିର୍ଜନ-ନିର୍ଝରିଣୀ-କଳ-ନିସ୍ଵନ ମିଶି
ବସି କଦମ୍ବ ତଳେ ରଜତ-ବୋଳା ନିଶି,
ବାଏ ମୁଁ ଯେବେ ବେଣୁ, ତୁମେ ଗୋ ଶୁଣ ରାଧା
ଥିଲେ ବି ଘୋର ନିଦେ ଲଭି ବିରହ ବାଧା ;
ବନ୍ଧନ ରାଶି ଏଡି ପାଶକୁ ଆସ ଧାଇଁ
ମୁରଲୀ ତାନେ ତନୁ ହଜାଇ ଦେବା ପାଇଁ ।
ସମୀର ପରିହାସେ ଅଞ୍ଚଳ ଯେବେ ଟାଣେ
'ବୁଝିନୁ ପ୍ରୀତି ରୀତି' କୁହ ତା' କାନେ କାନେ
ଯାହା ମୋ ମନ ଚାହେଁ ତାହା ତ ଦେଲ ରାଣି !
ରଚିଛ କେତେ ଖେଳା, ସବୁ ମୋ ମନ ଜାଣି ।
ଯାଚି ଦେବାରେ ଯେବେ ତୁମର ଏଡ଼େ ତୃପ୍ତି
ସେ ସବୁ ପାଇ ମୋର କିପାଁ କହ ଅତୃପ୍ତି ?
କି ଭାବେ ତୁମକୁ ବା ଲଭିବି ଚାହେଁ ମନ
କେତେ ନିବିଡେ ଆଉ କିପରି ଆଲିଙ୍ଗନ ?
କେଉଁ ନିଶୀଥେ ବକୁଳ ତରୁ ତଳେ
କଙ୍କଣ-ଶୋଭୀ-କର ବେଢ଼ାଇ ରଖି ଗଳେ
ଚିବୁକ ଛୁଇଁ ଧୀରେ ଦେଖାଇ ଚନ୍ଦ୍ରହାସ
ରଞ୍ଜିତ-ଧରା ପରେ ରଚିବ କେଉଁ ରାସ ?
ନିଜକୁ ସବୁମତେ ଦେଲ ପ୍ରଣୟୀଠାରେ
ରଂଜାଇଦେଲ ହିଆ ନେତ୍ର-କଜଳଗାରେ
କରିଲ ଆପଣାର ନ ମାନି ଶତ ବାଧା
ଶତ ଲାଂଛନା ତଳୁ ଝରାଇ ହାସ୍ୟ-ସୁଧା ।
ପ୍ରତି ହୃଦ-ସ୍ପନ୍ଦନେ ତୁମରି ହାସ୍ୟ ରୋଳ
ସଜନି ! ଅନୁଭବେ ନୀରବେ ସେ କଲ୍ଲୋଳ-
ଶୁଣେ ମୁଁ କାନପାତି,ଆହା କି ସୁଖ ସତେ
କି ଧନ ପାଇନି ମୁଁ ତୁମ ପ୍ରଣୟ-ପଥେ !
ଦିଗଭ୍ରାନ୍ତ ସମ ରାଣି !ପ୍ରଣୟ-ପାରାବାରେ
ଛୋଟ ଏ ତରୀଖଣ୍ଡି ସ୍ୱର୍ଣ୍ଣ-ତରଙ୍ଗ ଧାରେ
ଦେଇଛ ପାଲ ଖୋଲି,ହରାଇ ଥଳକୂଳ
ଅତୃପ୍ତ ବାସନା କି ସେଥିପାଇଁ ଆକୁଳ ?
ରାଜା ଖଡ଼ିଆଳ