ପତିଙ୍କ ପ୍ରତି
ପତିଙ୍କ ପ୍ରତି
କେବେ ବି ତ କହି ନାହିଁ
ଅଞ୍ଜଳିରେ ଭରିଦିଅ ମୋର
ସୁନା ରୂପା ହୀରା ,
ଆକାଶରୁ ତୋଳି ଆଣିଦିଅ
ଚାନ୍ଦ ଆଉ ତାରା ।
ହଁ ମନ ଚାହେଁ —
ଯେବେବି ଫେରୁଛ ଘରକୁ
ଖୁସି ମନରେ ଫେରନ୍ତ,
ମୁହଁରେ ତୁମର ଥାଆନ୍ତା କି
ଚେନାଏଁ ହସର ଧାରା ॥
ଯେତେ କଷ୍ଟ ହେଉ ପଛେ
ଘରର ସମସ୍ତ କାର୍ଯ୍ୟ
କରି ଚାଲିଥାଏ,
କହିନି ତ କେବେ
ଆଉ ପାରୁନାହିଁ ବୋଲି ।
ତମେ କିଛି କର ବା ନକର
କେବେ ଥରେ ପଚାରିଛ କି—
କଣ କରୁଛ ବୋଲି ?
ଆପତ୍ତି କରିଛି କି କେବେ ?
କାହାକୁ କାହିଁକି ଚାହିଁଲ କି
କାହା ସଙ୍ଗେ କଥା ହେଲ ବୋଲି ?
ହେଲେ କେବେ ବି ଥରେ
ତୁମର ସେ ପ୍ରୀତିଭରା ଚାହାଣୀ
ମୋ ଆଡେ ଆସିନିତ ବାଟ ଭୁଲି ॥
କେବେ ବି ତ କହିନାହିଁ
ଚାଲ ଯିବା ଆଜି
ବାହାରେ ଖାଇବା ବୋଲି ।
ବାହାରେ ନହେଲା ନାହିଁ
ଥରେ ହେଲେ ବି
କହିଛ କି ଘରେ —
ଆସ ଆଜି ସାଥିହୋଇ ବସି
ଖାଇବାକୁ ବୋଲି ?
କୁହ ତ କେବେ ବି
ଡାକିଛ କି ଥରେ ଆଦରରେ
ମୋ ନାଆଁ ଧରି ?
ନାଆଁ ନ ହେଲା ନାହିଁ
"ଶୁଣ" ବୋଲି ଥରେ
କହିଛ କି ଥରେ ମୁହଁ ଖୋଲି ?
ଜୀବନଟା ସରିଯିବ
ଏହିପରି ଧାଇଁ ଧାଇଁ
ଧଇଁସଇଁ ହୋଇ ।
କେବେ କଣ ଥକି ପଡି
ବସି ଯାଆନ୍ତନି ପାଖରେ ମୋ
ଦୁଇପଦ କଥା ହେବା ପାଇଁ ?
****