ପ୍ରିୟତମ ଦୁଃଖ
ପ୍ରିୟତମ ଦୁଃଖ
ନିଜର ଅହଂକୁ ସମର୍ପି ଦେବା ପରେ
ଆଉ କଣ ବାକି ଥିଲା ଯେ-
ଦେଇଥାନ୍ତି ତୁମକୁ
ତୁମ ଅଭିମାନର ଶୀତଳ ଛାୟାରେ
ଜଳି ଯାଉଛି ମୁଁ ଥରକୁ ଥର,
କେବେକେବେ ନିଜେ ହିଁ ନିଜର
ପରମ ଶତ୍ରୁ ବନି ଯାଉଛି ମୁଁ ।
ନିଜ ଅନ୍ତରକୁ ଯେତେ କ୍ଷତାକ୍ତ କଲେ ବି
ପାରୁନି ଭାଙ୍ଗି ତୁମ ଅଭିମାନର ନିଥର ପାହାଡ଼
କ’ଣ ତୁମେ ଚାହଁ?
ମୁଁ ଭୂ-ଲୁଣ୍ଠିତ ହେବାର ଦୃଶ୍ୟରେ
କେମିତି ତୁମେ ତାଳି ମାରି ହସିପାର !
ମୋର ଅବଶ ବିବଶ ପାଦ
ପରାଜୟର ଦ୍ବାର ଦେଶେ ସଂଘର୍ଷରତ ଥିବାବେଳେ
କେମିତି ତୁମେ ବନିପାର
ଏତେ ବେଶି ସମ୍ବେଦନ ଶୂନ୍ୟ ନିଷ୍ଠୁର ।
ତୁମେ ହାରୁଥାଅ ନିତ୍ୟ ନିୟମିତ
ଏଇ କଣ ଶାନ୍ତନାର ସ୍ବର
ଅନୁରାଗର ଭିନ୍ନ ଏକ ରଂଗ ।
ସହିଯାଏ ସବୁ ସହିଯାଏ
କାରଣ ମୁଁ ଜାଣେ ମୋ ଅହଂ
ସଂଚରି ଯାଇଛି ତୁମ ଅନ୍ତରକୁ
ଏବେ ତୁମେ ଅଂହକାରରେ ମଦମତ୍ତ ।
ଅନ୍ତତଃ ଏ ଦିନ ନଆସୁ
ସାମ୍ନାରେ ମୋ ଆଣ୍ଠୁମାଡ଼ି
ଦେହ, ମନ, ହୃଦୟ ପରି ମାଗି ନବ ସେ
ମୋ ଆଖିର ଲୁହ
ଲୁହ ଯେ ମୋ ବଞ୍ଚିବାର ଏକମାତ୍ର ସରଳ ଆୟୁଧ ।
ପ୍ରକାଶ ରଂଜନ ପରିଡ଼ା
'ନିଶି ପ୍ରଦୀପ', କଏଳପାଳ, ବାତୋ, କେନ୍ଦୁଝର