ମୁଁ ଦୁର୍ଗା କହୁଛି
ମୁଁ ଦୁର୍ଗା କହୁଛି
ଆଶ୍ଵିନ ଶୁକ୍ଳପକ୍ଷରେ ହେବ ମୋର ଆଗମନ,
ତଥାପି କାହିଁ ନାହିଁ ଉତ୍ସାହିତ ମୋର ଏ ମନ?
ଜାଣିନ ଯଦି ନାରୀକୁ ଦେଇ ପ୍ରକୃତ ସମ୍ନାନ,
କାହିଁକି କରୁଛ ଏ ମିଛ ଭକ୍ତିର ପ୍ରଦର୍ଶନ?
ଯେଉଁ ଦୁର୍ଗାଙ୍କୁ ରକ୍ଷାପାଇଁ କରୁଛ ଆବାହନ,
ସେହି ଦୁର୍ଗା ରୂପୀ କନ୍ୟା ସହ କରୁଛ ଦୁଷ୍କର୍ମ?
ଗୃହେ କନ୍ୟାଟି ଆଗମନେ ମୂଖ ପଡେ ମଳିନ,
ତେବେ ନବରାତ୍ରେ କନ୍ୟାକୁ କିଆଁ କର ବନ୍ଦନ?
ଧନ,ଜନ ଆଶାରେ ଲକ୍ଷ୍ମୀଙ୍କୁ ପୂଜୁଛ ଯେ ଯହିଁ,
ଗୃହଲକ୍ଷୀକୁ ଯୌତୁକ ଜୁଇରେ ଚଢାଉ ତହିଁ?
ନିର୍ଜୀବ ମାଟିର ପିତୁଳାରେ ନାହିଁ ମୋର ପ୍ରାଣ,
ମାତୃ,ଜାୟା,କନ୍ୟା,ଭଗିନୀ ରୂପେ ମୁଁ ବିଦ୍ୟମାନ।
ତାଙ୍କ ମଧ୍ୟେ ପାର ଯଦି ମୋତେ କର ହେ ସନ୍ଧାନ,
ପାଇବ ତାଙ୍କରି ଠାରେ ହିଁ ମୋର ଦିଗ୍ଦର୍ଶନ।
ଚଳନ୍ତି ପ୍ରତିମା ଅଟନ୍ତି ଏ ସବୁ ଯେ ମୋହର,
ପ୍ରେମ,ଭକ୍ତି ଓ ସମ୍ନାନ ଏମାନଙ୍କ ଅଧିକାର।
ଦିଅ ସ୍ଵଚ୍ଛ ମାନସିକତା ହୃଦେ ପବିତ୍ର ସ୍ଥାନ,
ତେବେ ହେବ ସଫଳ ତୁମ ନବରାତ୍ରି ପୂଜନ।
ନିବେଦିତା ମିଶ୍ର