ଫେରି ଆସ ବାପା
ଫେରି ଆସ ବାପା
ଆକୁଳେ ବିକଳେ ତୁମକୁ ଡାକୁଛି
ଚାହିଁ ବାରେ କଥା କୁହ,
ତୁମେ ଆଖି ବୁଜିଲେ ଲାଗୁଅଛି ମୋତେ
ଜଗତ ଅନ୍ଧାକାରମୟ।
ଧୈର୍ଯ୍ୟ ସାହସର ସେତୁବନ୍ଧ ଥିଲ
ମୋର ନଥିଲା କାହାକୁ ଡ଼ର,
ଛାତିକୁ ଫୁଲାଇ ମୁଣ୍ଡକୁ ଉଠେଇ
ଚାଲୁଥିଲି ନିର୍ଭୟର।
ନାନା ମିଛ କଥା କୁହ ତ ବୋଉକୁ
ଅଳି କରେ ବୋଲି କେତେ,
ସଭିଙ୍କୁ ଲୁଚେଇ ମୋର ସବୁ ଦୋଷ
ସୁନା ପିଲା କୁହ ମୋତେ।
ତୁମେ ତ ନ ଥିଲେ ଅଣବାପୁଆର
ପିଠିରେ ଛାପା ଲାଗିବ,
ସମାଜ ଆଖିରେ ଅଣବାପୁଆଟା
(ବୋଧେ) ସବୁଠାରୁ ହୀନ ଜୀବ।
ସତ୍ତ୍ଵ,ରଜ,ତମ ତ୍ରିଗୁଣ ବିନାଶୀ
ମହାନ ଥିଲ ମୋ ପାଶେ,
ପୂଜୁଥିଲି ଭକ୍ତି ଚିତ୍ତେ ମୁଁ ତୁମକୁ
ସରଗ ଦେବତା ଆଶେ।
ରକତ ମାଂସର ପିଣ୍ଡୁଳାରେ ସ୍ନେହେ
ଜୀବନ୍ୟାସ ମନ୍ତ୍ର ଦେଇ,
ଅଜ୍ଞାନ ଅନ୍ଧର ଦୂରୀଭୂତ କରି
ଦିବ୍ୟଜ୍ଞାନ ଲେପ ଦେଇ।
ସ୍ନେହ, ମମତା ଓ ପଥପ୍ରଦର୍ଶକ
ଆମ ଭବିଷ୍ୟତ କର୍ଣ୍ଣଧାର,
ବିନିଦ୍ର ରଜନୀ ଚିନ୍ତା ମଗ୍ନ ରହି
ଗଢ଼ ଶ୍ରେଷ୍ଠ ବଂଶଧର।
ଗିରି ହିମାଳୟ ସମ ଆଶ୍ରୟ
ସୁଶୀତଳ ବଟ ଛାଇ,
ଗଗନ ସମାନ ସୁଖ ଢାଳୁଥାଅ
ପୁଣି, କର୍ଣ୍ଣ ପରି ଦାନୀ ହୋଇ।
ଆବର୍ତ୍ତମାନରେ ବାରବାର ଚିତ୍ତ
ପରାଜୟେ ବ୍ୟାକୁଳିତ,
ବାତ୍ସଲ୍ୟ ପ୍ରେମରେ ମର୍ମାହତ ପ୍ରାଣ
ଜୀବନ ଯୁଦ୍ଧେ ଆହତ।
ଡାକଶୁଣି ବାରେ ଫେରିଆସ ବାପା
ମୋ ପାଶକୁ ଆଜି ତୁମେ,
ତବ ,
ନିର୍ଭୀକ ଛାଇରେ ଠିଆହୋଇ ଗର୍ବେ
କହିବୁ ସବୁ ପାଇଗଲୁ ଆମେ।
ଫେରି ଆସ ବାପା ତୁମେ।
ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର।