ବଢ଼ି-ନଈ ଓ ତଟିନୀରେ
ବଢ଼ି-ନଈ ଓ ତଟିନୀରେ
ସେ କହିଲା ବନ୍ୟା ଆସୁଛି !!
ନଦୀରେ ବଢ଼ି ପାଣି
ମାଟିଆ ଗୋଳିଆ,
ଆସ ଯିବା ଦେଖିବା
ଦୁଇ କୂଳ ଖାଇ,
କେତେ କାହା ସ୍ୱପ୍ନ ଚୋରେଇ
ଗର୍ଜନ କରି, ନଦୀ ଧାଇଁଚି,
କେତେ ଘର କେତେ ଜମି,
ଗଜେଇ ଥିବା କଢ଼ିମାନ,
ପାଣି ସହ ଆଗେଇ ଚାଲିଛି;
ଆସ ଯିବା, ଦେଖିବା
ଭରା ନଈ କେମିତି ଦିଶୁଛି।
ମୁଁ ବି ଆଗଭର
ଦେଖିବି ବଢ଼ି-ଦୁଇଟି ଦେହରେ
ନଦୀ ଠାରେ-'ତଟିନୀ' ଦେହରେ
ନଦୀ ଆଜି ଫୁଲା ଫୁଲା
ତଟିନୀ ବି-ଦୁହିଁଙ୍କ ଠି ସୁଦୁ ଚଗଲାମୀ
ମନ ଟା ଲଗାମଛଡ଼ା ଘୋଡ଼ା- ଦୁହିଁଙ୍କର
ଦୌଡୁଛି-ଦୌଡ଼ାଉଛି-ମୋ ଭଳି କେତେକଙ୍କୁ
ନଦୀକୁ ଓ ତଟିନୀକୁ ପ୍ରେମ ଯେ କରିଛି।
ମୁଁ ଯାହା ଦଦରା ନାଆ ଟିଏ
ଭାସୁଛି-ନିଜ ଦ୍ୱାରା କମ
ତଟିନୀର ସୌନ୍ଦର୍ଯ୍ୟ ସୁଅରେ
ବଢ଼ି ପାଣିରେ ଛୋଟ ଗୋଟେ ହୁଲିଡଙ୍ଗା ପରି
ଯୋବ୍ରା ଠୁ ନରାଜ ଯାଏଁ,
ନରାଜ ଠୁ କାଠଯୋଡ଼ି ଧାରେ
ମତୁଆଲା ହୋଇ,
ଏମିତି ଅନେକ ଥର
ହିସାବ ନାହିଁ।
*****
ଆଜି ତଟନୀ ରାସ୍ତା ବଦଳିଛି
ଠିକ୍ ନଦୀର ଧାର ପରି
କୋଉ ବାଟେ ନିଜେ ବି ଜାଣିନି
ହେଲେ ବଦଳି ଯାଇଛି
କାଲିର ଗାଧୁଆ ତୁଠ
ଆଜି ପୁରା ପଟୁ ଚଢ଼ା
ମୁଁ ଆସେ ଫେରି ଯାଏ
ତୁଠ ନପାଇ, ବସେ ଟିକେ ଦୂରେ
ଧୂଆଁ ର କୁଣ୍ଡଳୀରେ କିଛି ସମୟ
ସିଗାରେଟ ଟି ସରିବା ଯାଏଁ।
ବହୁଦିନ ପରେ ଆଜି ନଈ ପୁଣି ବଢ଼ିଛି
ମୋ ମନର-ତଟିନୀକୁ ଦେଖି ;
ବଢ଼ିଲା ନଈ କୂଳେ ଏକଲା ଏକଲା
ଦୁଇ ଜଣ-ତଟିନୀ ଚୁପଚାପ
ଚପଲତା ନାହିଁ--ବନ୍ଦୀ ଭଳି
ହୀରାକୁଦର ବନ୍ଧ ଘେରରେ
ମୁଁ ବି ଡେଣା କଟା ପକ୍ଷୀ
ଉଡ଼ିବାକୁ ଖାଲି ସ୍ୱପ୍ନରେ ହିଁ ଦେଖେ।
ଶେଷ ଶ୍ରାବଣରେ ନଈର ପେଟଫୁଲା
ତଟିନୀର ବି-ମୋତେ ସେ ଏଡ଼ାଇ ଯାଉଛି
ପେଟଟାକୁ ଲୁଚେଇ ଲୁଚେଇ,
ମୁଁ ଦେଖି ବି ନଦେଖିଲା ଭଳି
ନଈକୁ, ତଟିନୀକୁ-ଚାହିଁ ପାରୁନି
ଆଖିରେ ଆଖି ମିଶାଇ
ପଛ ପାନ ଦୋକାନରୁ ରେଡ଼ିଓ ଶୁଭୁଛି
ହୀରାକୁଦ ପାଣି ଛାଡ଼ିଚି
ମହାନଦୀ ଉବୁଟୁବୁ
କାଠଯୋଡ଼ି କିନ୍ତୁ
ଶୁଖିଲା ପଡ଼ିଛି।
ଫ୍ରାନସିସ୍ ଶତପଥୀ