ଅଭିମାନେ ଦେଶ ମାତୃକା
ଅଭିମାନେ ଦେଶ ମାତୃକା
ବିତିଲା ସାତ ଦଶକ, ଦେଶ ସ୍ଵାଧୀନ ହେବା ପରେ
ବନ୍ଦୀ, ଭାରତ ମାତା ଦୁର୍ନୀତିର ଗନ୍ତାଘରେ ॥
ଦରଦୀ ଦେଶ ପ୍ରେମିକ, କଳା ଟଙ୍କାର ପାହାଡ଼ ଗଢି
ସାହେବ ହୋଇ ବୁଲଇ, ଦାମୀ ବିଦେଶୀ ଗାଡିରେ ଚଢି ॥
ସୁରମ୍ୟ ଅଟ୍ଟାଳିକା, ତିଆରି କରି ମହାନଗରେ
ସୁଖରେ କାଳ ବିତାଏ, ଗଣତନ୍ତ୍ରର ମଇଦାନରେ ॥
ରାଜ-କର୍ମଚାରୀ, ଦରମା ବଢେଇ ଚାଲେ ନିଜର
ଉଦାର, ମନ୍ତ୍ରୀସଭା ଲଗାଇ ଦିଏ ସିଲ୍ ମୋହର ॥
ରାଜ କୋଷ ଶୂନ୍ୟ କରି, ବୈଷମ୍ୟର ଶିଖର ଗଢେ
ଦରକାର, ଆସେ ଟଙ୍କା କର ବସାଇ ନିର୍ବିଚାର ॥
ଦେଶର ଗଣତନ୍ତ୍ର, ବନ୍ଦୀ ସୁନାର ପଞ୍ଜୁରୀରେ
କରଇ ଆର୍ତ୍ତନାଦ, ରହି କେତୋଟି ପରିବାରେ ॥
କୃଷକ, ବିଷ ଖାଇକି ମଲେଣି ଦେଶେ କେତେ ହଜାରେ
ରାଜାନୁଗ୍ରହରେ ଖାଲି, ବାନ୍ଧଇ ବସା ଭ୍ରଷ୍ଟାଚାର ॥
ଶିକ୍ଷକ ବ୍ୟସ୍ତବଡ, ବେଳ ବିତଇ ରୋଷେଇ ଘରେ
ପାଠଶାଠ ବନ୍ଦ କରି, ଖାଲି ଭୋଜନର ବ୍ୟବସ୍ଥାରେ ॥
କଲେଜ ଛାତ୍ର ସବୁ, ଶିକ୍ଷାନବିଶ୍ ରାଜନୀତିର
ନାକେଦମ୍ ଅଧ୍ୟାପକ, ସମ୍ଭାଳିବାକୁ ପଢାଇବେ କ’ଣ ॥
ମେଧାବୀ ନ ହେଲା ନାହିଁ, ତଥାପି ହୁଏ ଯନ୍ତ୍ରବିଦ
ଟଙ୍କାର ବଳରେ ଦେଶେ, ହୁଏ ଡାକ୍ତର ବିଶାରଦ ॥
ଦେଖରେ ସର୍ବାତ୍ୟାଗୀ, ବିତ୍ତଶାଳୀ ସନ୍ୟାସୀକୁ
ବିଶ୍ଵାସେ ପକାଇ ଧୂଳି, ଦୂଷ୍କର୍ମେ ଯାଏ ଜେଲକୁ ॥
ଶିକ୍ଷା ମୂଲ୍ୟହୀନ, ରାଜନୀତିର ପ୍ରାଙ୍ଗଣରେ
ଅର୍ଥ, ବାହୁବଳରେ ନିରକ୍ଷର ରାଜ ଗାଦିରେ ॥
ଲୋକଙ୍କ ବିଶ୍ଵାସ ଆଉ ସରଳତାର ସୁଯୋଗ ନେଇ
ଅର୍ଥର ଲଗ୍ନି କରାଇ, ଲୁଟିଲେ ଯେତେ ଧନ ଗୋସାଇଁ ॥
ସବୁଠି ମାତୃଜାତି, ନର ପିଶାଚର କୁ-ନଜରେ
ବଧୂର, ପ୍ରାଣ ସଙ୍କଟ ଯଦି ଯାଉତୁକ ଆଣି ନ ପାରେ ॥
ଦେଖରେ କନ୍ୟାଟିକୁ ଗଣ୍ୟ ନୁହେଁ ମଣିଷ ରୂପେ
ବାପଘର ଶାଶୁଘରରେ, ବନ୍ଦୀ ସଦା ବଦ୍ଧ କୁପେ ॥
ନୀରବେ, ଦେଶ ଜନନୀ କାନ୍ଦେ ଦୁଃଖେ ଅଭିମାନେ
ଖୋଜଇ, ସେଇ ପିଲାକୁ ପ୍ରାଣ ଦେଲେ ଯେ ମୁକ୍ତିପଣେ ॥
ଅରୁଣ କୁମାର ମିତ୍ର