ଦୋଳନ:ମନର,ସୁଖ:ସମର୍ପଣର
ଦୋଳନ:ମନର,ସୁଖ:ସମର୍ପଣର
ମନର ତରଙ୍ଗ
ଆଉ
ହୃଦୟ ଆବେଗ
ଯେବେ ଖେଳେ ଦୋଳି
ଅନ୍ତରଙ୍ଗେ ମୋର.....
କିଛି ଲେଖିବାର
ମନଟିଏ ନେଇ
କାଗଜରେ କଲମ ଚଳାଏ....
ଶବ୍ଦସବୁ କୁନିକୁନି
ପ୍ରଜାପତି ପରି
ଉଡ଼ିଉଡ଼ି ଆସନ୍ତି ସରାଗେ
ବସନ୍ତି , ହସନ୍ତି , ରସନ୍ତି.........
ପୁଣି କବିତାରେ
ରଙ୍ଗ ରସ ବୋଳି
ଡେଣା ନହକାଇ
ଉଡି ବି ଯାଆନ୍ତି ..........
ପ୍ରଜାପତି ସବୁ
ଧାଡ଼ିଧାଡ଼ି ବସିଯାଇ
ରଙ୍ଗ ଚହଟାନ୍ତି
ମନକୁ ମୋହନ୍ତି
ଆନନ୍ଦ ଦାନନ୍ତି
କେବଳ ନୀରବରେ
ନୀରବତାର ବି
ଗୋଟେ ଭାଷା ଅଛି
ବୁଝିନେଲି ଯେବେ
ନୀରବ ଶବ୍ଦର ମୋହ
ନୀରବତାର
ଅଖଣ୍ଡ ରାଜତ୍ୱ
ପାଦେ ନତଶିର ହେଲି.........
ଏବେଳେ ଏପରି
ଆପେଆପେ
ଅକୁହା କଥାସବୁ
କହି ହୋଇଯାଏ
କିପରି କେଜାଣି
ଅଶାନ୍ତି ବି ଲାଗେ
ଶାନ୍ତି ଶାନ୍ତି
ଦୁଃଖ ଲାଗେ
ସୁଖ ସୁଖ
ହତାଶାରେ ଦିକ୍ ଦିକ୍
ଜଳୁଥାଏ
ଆଶା-ଦୀପଟିଏ..........
ସମୟର ସୀମା ମାପିବାର
କଣ ଦରକାର
ତାକୁ ଛାଡିଦିଆ ଯାଉ
ଅସୀମ ପଥରେ ଯିବାକୁ........
କାହାର ଏ ଅବସ୍ଥା କୁହ
ମନର ?
ଜୀବନର ?
ପ୍ରାଣର ?
ହୃଦୟର ?
ଆତ୍ମାର ?
ନ ଦେହର ??........
........ଏ ସବୁ ଭାବନା ଛାଡି
ଭାବ ସାଗରରେ ବୁଡି
ଜୀବନ ଜିଇବା କଳା
ଶିଖିଗଲି ଯେବେ....
ମନ ତାର ଝୁମୁଥାଉ
ତା' ମନମାଫିକ
ତାକୁ ଓଟାରି ଧରିବି କିଆଁ
ତା' ଦାସତ୍ୱ ସ୍ବୀକାରି ନେବିନି ।।
ମୋ କହିବା କଥାଗୋଟି ଏଇ.........
ଶାନ୍ତ ରୁହ
ସୁସ୍ଥ ରୁହ
ରୁହ ସ୍ଵସ୍ଥ
ଆଉ ଶ୍ୱସ୍ତ
ଅକାରଣେ ହୁଅନା ଅସୁସ୍ଥ
ହସରେ ଖୁସିରେ
ଜିଅ ଜୀବନ ସହିତ
ଆଉ
ଯିଏ ଜୀବନ ଦେଇଛି
ଜନ୍ମ ବି ଦେଇଛି
ତା' ପାଦରେ
କର ଆତ୍ମସମର୍ପଣ.......
ନିଜକୁ ସମର୍ପି ଦେଇ
ଥରେ ପରଖି ନିଅ ତ
ସମର୍ପି ଦେବାର ସୁଖ
କେତେ ଯେ ମଧୁର!!!
ପ୍ରଣତି ମହାପାତ୍ର