ଅଶାନ୍ତ ସୀମାନ୍ତ
ଅଶାନ୍ତ ସୀମାନ୍ତ
ପୁଲଓ୍ବାମା ପଠାନ୍ କୋଟ୍ ହେଉ କି ବାରମୂଳା
ଏ ତ ଘାଟି , ନିଶା ଆଉ ଦିଶାହୀନ
ଅଶାନ୍ତ ସୀମାନ୍ତ ,
ଅପ୍ରତ୍ୟାଶିତ ସବୁକିଛି
କିଏ ଜାଣେ କାହାକୁ ଗ୍ରାସିଯାଏ
ଅହେତୁକ ନିଦ୍ରା ଆଖି ପଲକରେ !!
ଶବ୍ଦ କରନା, ଶୋଇବାକୁ ଦିଅ ତାଙ୍କୁ
ନିଘୋଡ ନିଦରେ ଶୋଇଥାନ୍ତୁ
ଆଉ କିଛି ବେଳ ଶୋଇଯାନ୍ତୁ ସେ
ଉଠିବାକୁ ହେବ ଆଦେଶ ମିଳିଲା କ୍ଷଣି ,
ଅପଲକ ଜାଗି ରହିଥିଲେ
ଏଯାଏଁ କାହିଁ କେତେବେଳୁ ।
ଏବେ ତ ସ୍ବପ୍ନ ଦେଖୁଥିବେ ନା
ଇନ୍ଦ୍ରଧନୁର ସାତରଙ୍ଗ
ଖସି ଆସିଥିବ ତାଙ୍କ ସ୍ବପ୍ନର ସଂସାରକୁ ,
ଜହ୍ନ ବି ଜ୍ୟୋତ୍ସ୍ନା ବୋଳିଥିବ
ପ୍ରେୟସୀ ଗାଲରେ ଆଉ
କୃଷ୍ଣଚୂଡାର ଲାଲିମା ବିରହାକୁଳ ଓଷ୍ଠରେ ।
ଅଥବା ଥନ ପିଉଥିବ କାହା କୁନିପୁଅ
ମା' କୋଳରେ ଗୁଣୁଗୁଣୁ ଗୀତ ଶୁଣୁଶୁଣୁ ,
କେତେ ଥିବ ଅଭିମାନ
ବାପାଠୁଁ ଉତ୍ତର ପାଇନି ବୋଲି ଏଯାଏଁ ।
ଦେଖିନିଅନ୍ତୁ ପରିବାରର ସୁଖଦୁଃଖ
ଜନ୍ମ ଦେଲା ମାଆର ମମତା ,
ଆଉ ଦଣ୍ଡେ ମୁହୂର୍ତ୍ତକରେ
ମୁଠା କରି ସାରା ବ୍ରହ୍ମାଣ୍ଡଟା ଯାକ ,
ତାଙ୍କୁ ଉଠାଅ ନାହିଁ
ମହାରଥୀ ପ୍ରହରୀ ସେମାନେ ଅଶାନ୍ତ ସୀମାନ୍ତର ।
ହଲଚଲ୍ କଲେ ଚୂରମାର ହୋଇଯିବ ସ୍ବପ୍ନ
ଠିଆ ହୋଇଯିବେ ସିଧା ହୋଇ
ବନ୍ଧୁକ ଉଠାଇ... ବୀର ମୁଦ୍ରାରେ...
ଚିରାଚରିତ ଏକ କର୍ତ୍ତବ୍ୟ ନିଷ୍ଠାରେ
ସୈନିକ ସେମାନେ ପରା !!