ହେ ବନ୍ଧୁ !
ହେ ବନ୍ଧୁ !
ଯେବେ ମରିଯିବି ସେ ଖବର ପାଇ
" ଆତ୍ମା ଶାନ୍ତି ପାଉ '' ଲେଖିଦେବ
ଆମ ସମ୍ପର୍କେ ବିଚାରି କହିଲ
ଏତିକିରେ ସବୁ ସାରି ଦେବ ? -୦-
ତୁମେ ଦେଇଅଛ ଅସରନ୍ତି ଖୁସି
ଗ୍ରହଣି ମୁଁ ଦେଲି ଧନ୍ୟବାଦ
ତୁମକୁ ବିଭୋରେ ବାଣ୍ଟିଛି ସାମର୍ଥ୍ୟେ
ଯାହା ଉଇଁଲା ମୋ ହୃଦେ ପଦ୍ୟ
ସେଇ ବନ୍ଧୁତ୍ଵର ଦ୍ଵାହିରେ ଗୁହାରେ
ବନ୍ଧୁତ୍ଵ ମୂଲ୍ୟ କି ଏହା ହେବ ?-୧-
ଉଦିତକୁ ବନ୍ଧୁ ଉଚିତେ ବିଚାର
ମଣିଷ ଜନମ ପରିପ୍ରେକ୍ଷେ
ମନୁଷ୍ୟ-ଯୋନିର ବିନା ଏ ବିଚାର
ଅନ୍ୟ ସୃଷ୍ଟେ କେବେ ନାହିଁ ଦେଖେ
ବିଚାରିବ ନାହିଁ ଯଦି ହେ କେମିତି
କହିବି ବନ୍ଧୁତ୍ଵେ ରଖ ଭାବ ?-୨-
ମୋ ଦେବାଟା ତୁମ ଗ୍ରହଣୀୟ ଜାଣି
ପାଣି ପାଣି ହେଲି ବହୁ ବାର
ସାର୍ଥକ ହେଲି ମୁଁ ତୁମ ପାଇଁ ବନ୍ଧୁ
ମାନୁଛି ଏ ଭାଗ୍ୟ ଅଟେ ମୋର
ତୁମରି ବନ୍ଧୁତ୍ଵ ସାଇତିଛି ବନ୍ଧୁ
ସେଇ ମୋ ବଞ୍ଚିବା ବଇଭବ -୩-
ବିନୀତ ଭାବେ ମୁଁ ଜନମିଛି ବନ୍ଧୁ !
ବିନୀତ ମୁଁ ତୁମ ଭାବଧାରାରେ
ମୁଁ ସିନା ଦେଉଛି ମୋ ଲେଖାରେ ଭାବ
ତୁମେ ତା ପ୍ରଚାର ବହୁ ଧାରେ
ତୁମେ ମୋ ଲେଖନୀ ଆଶାର ସମ୍ବଳ
ତୁମେ ହିଁ ଲେଖନୀ ଗଉରବ -୪-