କବିତା ପାଠୋତ୍ସବ
କବିତା ପାଠୋତ୍ସବ
ନିମନ୍ତ୍ରଣ ପାଇ କବୟିତ୍ରୀ ଗଲେ
କରିବେ କବିତା ପାଠ
ଆନନ୍ଦରେ ପାଦ ତଳେ ଲାଗୁନାହିଁ
ଛାତି ହୁଏ କୁଣ୍ଢେମୋଟ ।
କେତେ ରାତି ବିତିଅଛି ଉଜାଗରେ
କବିତାକୁ କରି ପ୍ରେମ
କବିତା ପାଇଁକି ଖାଇବା କଅଣ
ଛାଡିଛନ୍ତି ବି ଆରାମ ।
ଜଞ୍ଜାଳିଆ ଘରେ ବାହା ଦେଇ ବାପା
ଭୁଲିଲେ ନିଜ ଦାୟିତ୍ୱ
ଜୀବନରେ ଯାହା ସ୍ୱପ୍ନ ଦେଖିଥିଲେ
ବୁଡିଲା ତା'ର ମହତ୍ତ୍ୱ ।
ପତିଙ୍କ ବିରକ୍ତି, ଶାଶୁଙ୍କ କଟୁକ୍ତି
ଯାଆ ନଣନ୍ଦଙ୍କ ବାଣୀ
ସବୁ ଶୁଣି ମଧ୍ୟ ଲୁଚେଇ ଲାଚେଇ
ଲେଖିଛନ୍ତି ସେ କାହାଣୀ ।
ଛପା ଅକ୍ଷରରେ ନାଆଁ ଦେଖା ମୋହ
ପୂରା ହୋଇ ନପାରିଛି
ପତ୍ର ପତ୍ରିକାକୁ ଲେଖା ପଠେଇଲେ
ଫେରସ୍ତ ଆସିଯାଇଛି ।
କବିଟିର ଦୁଃଖ କେମିତି ବୁଝିବ
ନଥିବ ଯାହାର ହୃଦ
ଲେଖି ନପାରିଲେ ବଞ୍ଚିବା କଠିନ
ମିଳୁ ପଛେ ଅପବାଦ ।
ଏତେ ଦିନ ପରେ ଆସିଛି ମଉକା
ମେଣ୍ଟିବ ମନର ସାଧ
ନିଜ କବିତାକୁ ଉତ୍ସବେ ପଢିବେ
ଶ୍ରୋତା ଶୁଣି ହେବେ ମୁଗ୍ଧ ।
ଟାଉନ ହଲ୍ ରେ ଶ୍ରୋତା ହାଉ ଯାଉ
ଦେଖି କବୟତ୍ରୀ ଖୁସି
କୋଉଠି ପଡିଛି ତାଙ୍କର ଚଉକି
ଚାରିଆଡେ ଗଲେ ଖେଦି ।
ଭାବିଥିଲେ ନେଇ ପ୍ରଥମ ଧାଡିରେ
ବସାଇବେ ସସମ୍ମାନ
ହେଲେ ଇଏ କ'ଣ ! ପଛ ଧାଡିରେ ବି
ଲେଖା ନାହିଁ ତାଙ୍କ ନାମ !
ତଥାପି ଖୁସିରେ ଉବୁଟୁବୁ ମନ
ଦେଖି ଶ୍ରୋତାଙ୍କର ଭିଡ
ଜଣା ତ ନଥିଲା ସହରଯାକର
କବି ହେଇଥିବେ ଠୁଳ !
ଇଏ ପେଲେ ତାକୁ, ସିଏ ପେଲେ ୟା'କୁ
ପଢିବା ପାଇଁ କବିତା
ଜଣେ ପଢୁ ପଢୁ ଅନ୍ୟ ଜଣଙ୍କର
ମୁହଁ ହେଉଥିଲା ପିତା !
ଜଣେ କହେ ଆଗେ ପଢିଦେବି ମୁହିଁ
ବସ୍ ଯିବ ମୋର ଚାଲି
ଆଉ ଜଣେ କହେ ଆଗ ନପଢିଲେ
ମହତ ମୋ ଯିବ ବୁଡି ।
ଜଣେ ପରେ ଜଣେ କବିତା ପଢିଲେ
କମିଲା ଲୋକଙ୍କ ଭିଡ
କବୟତ୍ରୀ ପାଳି ପଡିଲା ବେଳକୁ
ନଶୁଭିଲା ତାଳି ମାଡ ।
ଯାହାର ସରୁଛି, ପଳେଇ ଯାଉଛି
ଅନ୍ୟର କିଏ ଶୁଣିବ
ନିଜ ଠାରୁ ଭଲ କେ ପାରିବ ଲେଖି
କାହିଁ ମିଛରେ ବସିବ ?
ଯୋଉ ଦୁଇ ଜଣ ଲୋକ ଥିଲେ ବସି
ମାଇକି ଲାଇଟି ବାଲା
ହାଇ ମାରି ମାରି ଭାବନ୍ତି ସରିବ
କେବେ ଏ ନିର୍ଲଜ ପାଲା !!