ଆତ୍ମ-ପର
ଆତ୍ମ-ପର
କବି ମାୟାଧର ମାନସିଂହ
ଖବରକାଗଜରେ ବଢ଼ିର କଥା
ପଢ଼ି ମୁଁ ମନେ ମନେ ଭାବଇ,
କିପାଇଁ ଏ ବିଳାପ ଏ ଗୁରୁ ବ୍ୟଥା,
ଲୋକେ ମଲେ ବା ଆଶ୍ରା ନ ପାଇ !
ନେତାଏ ଲୋକଗଣେ ଦେଖାନ୍ତୁ ଯାଇ
ଶିରୀ ସୁନ୍ଦର ବୃଦ୍ଧି ନଦୀର,
ତରୁଣେ ଲୋକଗଣେ ଶିଖାନ୍ତୁ ଯାଇ
ବଢ଼ି-ବର୍ଣ୍ଣନା ଯେତେ କବିର ।
ନିଜର ଦେଶରେ ଏ ନଦୀ ପର୍ବତ
ତାଙ୍କ ଶିରୀ ତ କେହି ବୁଝେନି,
କେମନ୍ତେ ଏହି ଜାତି ହେବ ଉନ୍ନତ
ସାହିତ୍ୟ ଗଢି ହେବ କି ଘେନି ?
ହେଉ ବରଷା, ହେଉ ନଈରେ ବଢ଼ି,
ଦେଶଟା ଦିଶୁ ହେଲେ ସୁନ୍ଦର,
କେତୋଟି ଲୋକ ଯଦି ଯାଆନ୍ତି ସଢ଼ି
କିପାଇଁ ନେବା ତାଙ୍କ ଖବର ?
ଦିନେକ ପରେ,ଗୃହେ ଫେରୁ ବାଟରେ
ଖାଇଲି ଘୋରତର ଆସାର,
ସେ ଦିନ ଜାଣିଗଲି କେତେ କ୍ଷଣରେ
ବିପଦ ଗୃହହୀନ ଚଷାର ।
ତା ପରଦିନ ଘରୁ ପାଇଲି ଲେଖ
ବଢ଼ିରେ ସବୁ ଧାନ ଯାଇଛି,
ବୁଝିଲି ପଢ଼ି, କେଶେ ଘୋଷାରି ନଖ
ଖବରକାଗଜ ଯା କହିଛି ।
ସମାପ୍ତ