ବିଳମ୍ବିତ ମୌସୁମୀ ବିଡ଼ମ୍ବିତ ବର୍ଷା
ବିଳମ୍ବିତ ମୌସୁମୀ ବିଡ଼ମ୍ବିତ ବର୍ଷା
ବିନା ବର୍ଷା ରେ ଜୀବନ
ମୌସୁମୀ ବିନା କବିତା
ସବୁ ଲାଗେ ବାମ୍ଫ ବାମ୍ଫ
ଠିକ୍ ଥର୍ ମରୁଭୂମିର
ଉତ୍ତପ୍ତ ନିଃଶ୍ୱାସ ପରି ..II
ଆଷାଢ଼ର ନହୁଲି ପାଦ ଯେବେ ପଡେ..;
ଅନୁଢା ମୌସୁମୀ ମତୁଆଲା କରେ
ଭିଜା ଭିଜା ଯେତେ ରଜ ସ୍ଵପ୍ନକୁ ନେଇ
କେତେ କୁଆଁରୀଙ୍କ ମନେ..II
ସଘନ ବାରିଦ ଦିଶେ ପ୍ରାଣବନ୍ତ
ଯେବେ ସେ ଆକାଶୁ ଝରେ..;
ଝରଝର ଧାରେ ଅମୃତ ଢାଳେ..
ତୃଷା ଜର୍ଜରିତ ପ୍ରାଣେ..II
ଶୀତଳ ଷଷ୍ଠୀ ଶୁଭ ସାହାନାଇ ବାଜେ
ପୂର୍ଣ୍ଣ ଯୌବନା ମୌସୁମୀ ଯେବେ
ଶ୍ରାବଣ ସାନିଧ୍ୟ ଲଭେ..II
ମେଘ ପଟୁଆରେ ଶ୍ରାବଣଟା ଆସେ ..
ବର୍ଷା ବିଜୁଳିର ବାଣ ରୋଷଣୀରେ
ଏ ଧରଣୀର ବୁକୁ କମ୍ପେ..II
ଦୁହେଁ ମିଶି ଅଭିସାର ରଚନ୍ତି ଆକାଶେ
ବର୍ଷା ଗାଉଥାଏ ଗୀତ ରିମଝିମ ସୁରେ..II
ଫୁଲେଇ ମୌସୁମୀ ଛକାପଞ୍ଝା ଖେଳେ
କେବେ କରୁଥାଏ ବର୍ଷା ତ ପୁଣି..
କେବେ ଲୁଚେ ଖରା ଆଢୁଆଳେ..II
ଚଷା ଗୀତ ତାଳେ ବିଲ ବନ ପ୍ରାନ୍ତ ଝୁମୁଥାଏ
ନାଲି ଗୁଲୁଗୁଲୁ ସାଧବ ବୋହୂଟି
ତାର ଲାଜ ଛାଡିଦେଇ ଚାହେଁ
ଓଢଣାର ତଳେ..II
ସବୁଜ ପଣତ ବିଛାଇ ଏ ଧରା
ଦିନ ଗଣୁଥାଏ କେବେ ଯେ ଭେଟିବ
ଜଗତନାଥଙ୍କୁ ସ୍ନାନ ବେଦି ଉପରେ..II
ଭକ୍ତି ସୁଧା ଅର୍ଘ୍ୟ ନେଇ ବର୍ଷା ବଧୂ
ଢାଳୁଥାଏ ମହାବାହୁଙ୍କର ଶ୍ରୀ ପୟରେ..।।
ପାପ ତାପ ହରି ରଥାରୁଢେ ଶ୍ରୀହରି
ବାହାରନ୍ତି ପ୍ରତୀକ୍ଷିତ ଗୁଣ୍ଡିଚାର ଯାତେ..II
ଉଦ୍ଧାରନ୍ତି କେତେ ପତିତ ପ୍ରାଣକୁ
ତାଙ୍କ ସ୍ନେହ ଭରା କରୁଣା ଆଶିଷେ ..II
ଶ୍ୟାମଳ ବନାନୀ ସବୁଜ କ୍ଷେତ ହସୁଥାଏ
ପ୍ରାଣ ସଞ୍ଚାରି ଦେହ ମନେ ..II
କେତେ ଝିପିଝିପି ବର୍ଷା ରାତି କଟେ
ଝରକା ଫାଙ୍କରୁ ଶିରିଶିରି ବାଆ
ଯେବେ ଛୁଁଏ ସ୍ମୃତି ବିଜଡିତ ମନେ..II
ଏ କି ବିଡମ୍ବନା....!!!
ନା ବରଷାରେ ଭିଜି ନା ଖିଆଲରେ ହଜି
ମୌସୁମୀ ସୁନ୍ଦରୀ ଖେଳେ ଲୁଚକାଳି ଆଜି..II
ଜଳୁଛି ଧରଣୀ ନିଆଁ ବର୍ଷୁଛି ଆକାଶୁ
ନିସ୍ତାର ନାହିଁ ଏ ପ୍ରକୃତିର ରୋଷରୁ..II
ବିନା ବର୍ଷାରେ କିଛି ଭଲ ଲାଗେ ନାହିଁ..
ମୌସୁମୀ ବିରହେ ଅଧୀର ଏ ମହୀ..।।
ଚାତକ ନୟନେ ଚାହିଁ ରହିଥାଏ
ଟିକେ ବର୍ଷା ଭିଜା ସ୍ପର୍ଶ ପାଇଁ..II
ଟିକେ ବର୍ଷା ଭିଜା ସ୍ପର୍ଶ ପାଇଁ..।।
*ବିନ୍ଦୁ ନିବେଦିତା*