ସ୍ନେହ ମମତାର ଖଣି
ସ୍ନେହ ମମତାର ଖଣି
ଗୁରୁଙ୍କର ମଧ୍ୟେ ଶ୍ରେଷ୍ଠ ଗୁରୁ ଆମ
ଅଟନ୍ତି ଯେ ପିତା-ମାତା,
ଈଶ୍ବରଙ୍କର ସେ ଚଳନ୍ତି ପ୍ରତିମା
ଆମରି ଭାଗ୍ୟ ବିଧାତା ।
ତାଙ୍କ ସରି କିଏ ଏଇ ଦୁନିଆରେ
ରହିଅଛି ଆଉ କୁହ ,
ଆକାଶଠୁ ଉଚ୍ଚ,ବସୁଧାଠୁ ଭାରୀ
ତୁଳନାରେ ଊଣା ନୁହଁ ।
ଜନନୀ ଜଠରୁ-ଏ ମହୀରେ ଯେବେ
ଆମେ କୁଆଁ ରାବି ପଡ଼ୁ ,
ତାଙ୍କ ଆଶୀର୍ବାଦ, ସ୍ନେହ,ମମତାରେ
ଧୀରେଧୀରେ ପରା ବଢୁ ।
ବାତ୍ସଲ୍ୟ ମମତା ନିଗାଡ଼ି ମାଆଟି
ପିଆଏ ବକ୍ଷରୁ ସୁଧା ,
ତା' ପଣତ ଛାଇ ଥିଲେ ମଥାପରେ
ଘୁଞ୍ଚିଯାଏ ସବୁ ବାଧା ।
ଆମ ଜୀବନର ଆଦ୍ୟଗୁରୁ ସାଜି
ଶିଖାନ୍ତି ସେ ବହୁକିଛି ,
ବିପଦେ, ଆପଦେ ସାହା ହୁଅନ୍ତି ସେ
ଦିଅନ୍ତି ଆଶିଷ ଯାଚି ।
ମାଆ ସିନା ସ୍ନେହ-ମମତାର ଖଣି
ଧୈର୍ଯ୍ୟର ପାହାଡ଼ ପିତା ,
ଦୁଃଖ,ଦୁର୍ଦ୍ଦିନରେ ଛାତି ଭାରି ଦମ୍ଭ
ଥାଏ ସାରା ଘର ଚିନ୍ତା ।
ତାଙ୍କରି ଆକଟ ନାଲି ଆଖି ପରା
ବତାଏ ଆମକୁ ବାଟ ,
ବାଧା-ବିପତ୍ତିରେ ଅଭୟ ଦିଅଇ
ମଥାପରେ ତାଙ୍କ ହାତ ।
ମୁଣ୍ଡଝାଳ ତୁଣ୍ଡେ ମାରି ଆମପାଇଁ
ଖଟନ୍ତି ଏ ଦୁହେଁ ପରା,
ଶିକ୍ଷା,ଦୀକ୍ଷା ଲାଗି ଅଜାଡ଼ି ଦିଅନ୍ତି
ସଞ୍ଚିତ ଅର୍ଥ ଯେ ସାରା ।
ସମାଜରେ ମଥା-ଟେକି ଚାଲିବାକୁ
ଦିଅନ୍ତି ଯତନେ ଗଢ଼ି ,
ସେହି ଋଣ ଆମ ପରେ ଭାରୀ ହୋଇ
ଧୀରେଧୀରେ ଯାଏ ବଢ଼ି ।
ତାଙ୍କ ସେବା,ଭକ୍ତି,ସନମାନ ଯଦି
କରିପାରିବାଟି ଆମେ ,
ନିରନ୍ତର ଏହି ଆଶିଷ ପାଇବା
ତାଙ୍କଠାରୁ ପ୍ରତିଦାନେ ।
ଏଇ ପିତା,ମାତା ସନ୍ତୋଷ ହୋଇଲେ
ହରଷ ହୋଇବେ ହରି ,
ଖୋଲିଦେବେ ତାଙ୍କ କରୁଣା ଭଣ୍ଡାର
ଆମଲାଗି କୃପାକରି ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।