ମଧୁମେହ
ମଧୁମେହ
ଲୋଚନ ଭାଇନା ପାଇଜାମା ପିନ୍ଧି
ବାହାରିଲେ ଘରୁ ଭ୍ରମଣ ଆଶେ
ସକାଳୁ ସକାଳୁ ହାବୁଡିଲେ ବାଟେ
ଗାଆଁର ପୁରୁଖା ଜେଜେଙ୍କ ପାଶେ ।
ଜେଜେଙ୍କର ନାଆଁ ବାଞ୍ଛାନିଧି ବୋଲି
ମୁଲକରେ ଅବା ନଜାଣେ କିଏ
ଉପାଦେୟ କଥା ସଦାବେଳେ କହି
ବୁଝାଇ ଦିଅନ୍ତି ମନ୍ତରଟିଏ ।
ୟା'ଙ୍କୁ ଦେଖୁଦେଖୁ କହିଲେ ହଇରେ
ନାତିଆ ଟହଲ ମାରୁଚୁ କିଆଁ
ଧାଇଁଲେ ଟିକିଏ ଦେହେ ଥିବା ମେଦ
ତରଳାଇ ଦେବ ଭିତର ନିଆଁ ।
ସତକଥା ବୋଲି ଜେଜେଙ୍କ ପାଖରେ
ଭାଇନା ମାନିଲେ ନିଜର ଦୋଷ
ଡାକ୍ତର କୁଆଡ଼େ କହି ସାରିଛନ୍ତି
ଧାଇଁବାକୁ ନିତି ଦି'ଚାରି କୋଶ ।
ସାତବର୍ଷ ଥିଲା ଅବସର ପାଇଁ
ଖରାପ ହେଲାଣି ତାଙ୍କର ଦେହ
ରକ୍ତଚାପ ସାଥେ କେମିତି କେଜାଣି
ଶର୍କରା ବୋଲି ଏ ବଢିଛି ମେହ ।
ଏଲୋପାଥି ସହ ଚେରମୂଳି କେତେ
ଯିଏ ଯେତେବେଳେ କହିଲା ଯାହା
ସବୁକୁ ଆଦରି ପିଅନ୍ତି କେବଳ
ଦୁଇଥର ବିନା ଚିନିର ଚାହା ।
ଏତିକି କହିକି ବିକଳେ ଅନେଇ
ଜେଜେଙ୍କ ଆଗରେ ନୁଆଁନ୍ତି ମଥା
ଦୀର୍ଘଶ୍ବାସ ଛାଡି ପିଠି ଥାପୁଡେଇ
ଜେଜେ ବୁଝାଇଲେ ଅସଲ କଥା ।
ଅଧିକାଂଶ ଲୋକ ଆଜିକାଲି ପରା
ଟିଭି ଆଗେ ବସି ବିତାନ୍ତି କାଳ
ଭେଜାଲ ଖାଇବା ପଚେଇ ନପାରି
ଭୋଗୁଛନ୍ତି ରୋଗ ମାଳକୁ ମାଳ ।
ମିତାହାର ସାଥେ ଖାଦ୍ୟ ଜୀର୍ଣ୍ଣ ପାଇଁ
ପରିଶ୍ରମ ଯାହା ଦେହକୁ ଲୋଡା
ସେତିକି ନକରି ରୋଗରେ ପଡିଲେ
କହୁଛନ୍ତି ଆମ କପାଳ ପୋଡା ।
ଚାକିରିଆ ଲୋକ ଝାଳବୁହା ଶ୍ରମ
କହ ତ ଏକାଳେ କରନ୍ତି କେତେ
ବହୁଳେ କାହିଁ ତ ଏ ରୋଗରେ ପଡି
ପୀଡିତ ନୁହନ୍ତି ଖେଳାଳି ଯେତେ ?
ପାସୋରି ନଦେବା ନିୟମିତ ଭାବେ
କରୁଥିବା ଯଦି କଠିନ କାମ
ଆମେ ବି ନୀରୋଗ ରହିବା ଜୀବନେ
ନିୟନ୍ତ୍ରଣେ ରଖି ଭୋଜନ ଆମ ।
ମଧୁମେହ ପାଇଁ କଥାଛଳେ ଜେଜେ
ରୋଗର ନିଦାନ କହିଲେ ଖଞ୍ଜି
ନିଜେ ଶ୍ରମ କରି ଲୋଚନ ଭାଇନା
ବଗିଚାରେ ଏଣୁ ପୋତିଲେ ମଞ୍ଜି ।
ପ୍ରସନ୍ନ କୁମାର ମାଦଳା