ମୃତ୍ୟୁ
ମୃତ୍ୟୁ
ଯେବେ ସ୍ବପ୍ନ କେବେ ଦେଖେ ମୁଁ ମୃତ୍ୟୁ କୁ ମୃତ୍ୟୁ ଲାଗେ ଚିହ୍ନାଚିହ୍ନା
ପାଦଶବ୍ଦ ଯେବେ ଶୁଣେ ମୁଁ ମୃତ୍ୟୁ ର ମନହୁଏ ଆନମନା ।
କଳାମେଘ ଯେବେ ଢାଙ୍କି ଦିଏ କେବେ ମୋ ଜୀବନ ପଥ ଧାରେ
ମୃତ୍ୟୁ ର ଛାଇକୁ ଦେଖେ ମୁଁ ନିକଟୁ ମୃତ୍ୟୁ ହସୁଥାଏ ଧୀରେ ।।
ମୃତ୍ୟୁ କେବେ ଆସେ ଗାଢଅନ୍ଧକାରେ କେବେପୁଣି ଦିବାଲୋକେ
ଛୁଇଁଦିଏ ଯେବେ କେବେ ଗୋପନରେ ନାଚେ ମୋ ଆଖିପଲକେ।
ମୃତ୍ୟୁ ର ପରଶ ଦିବ୍ୟତ୍ବରେ ଭରା ଚିରନ୍ତନ ସୁଖ ଶୀରି
ଅମୃତ ଆନନ୍ଦ ବିଷାଦର ଶେଷ ପରିବର୍ତ୍ତନର ଭେରୀ ।।
ମୃତ୍ୟୁ ଆବାହନୀ ଶାଶ୍ବତ ରାଗିଣୀ ଛନ୍ଦ ତୋଳେ ମୂର୍ଚ୍ଛନାରେ
ତନୁ ମନ ମୋର ପୁଲକିତ ହୁଏ ନିଦାଘରେ ବାରି ଝରେ ।
ଉଜ୍ଜଳ ଆଲୋକେ ମୃତ୍ୟୁ ପଥ ଦେଖେ ଅନିର୍ବଚନୀୟ ଶୋଭା
ସେ ପଥର ଯାତ୍ରା କଣ୍ଟକିତ ନୁହେଁ ସୁକୋମଳ ମନଲୋଭା।।
ମୃତ୍ୟୁ ଦୁଃଖ ନୁହେଁ ମୃତ୍ୟୁ ଭୟ ନୁହେଁ,ନୁହେଁ ଇପସିତ ଲକ୍ଷ୍ୟ
ମୃତ୍ୟୁର ବଳୟେ ଅମୃତ୍ୟୁ ସନ୍ଧାନ ଜୀବନର ଶ୍ରେଷ୍ଠ କକ୍ଷ ।।
-------------------------------
ଶରତ କୁମାର ଦାସ,ବଡବିଲ ମହାବିଦ୍ୟାଳୟ,ବଡବିଲ,କେନ୍ଦୁଝର।