ଅବହେଳିତଙ୍କ ସ୍ତବ
ଅବହେଳିତଙ୍କ ସ୍ତବ
ରେଳ ଷ୍ଟେସନରେ ମଣିଷ ଦେଖିଲି
ମଣିଷର ଭାରବାହୀ
ପେଟ ପାଟଣାରେ ଅଣ୍ଟା ବଙ୍କା ହେଲା
କେ କରିବ ଏଥୁଁ ତ୍ରାହି ?
ସ୍ଵଦେଶୀ ନାଆଁରେ ବଣିଜ ଚାଲିଛି
ଲଢ଼େଇ ଧରମ ଧାମେ
ଶାଗୁଣା ପଲର ସଭା ମଧ୍ୟେ ଯାଇ
କହି କି ପାରିବା ଆମେ ?
ଖାଇବାକୁ ଯାର ଦୁଇ ଗଣ୍ଡା ନାହିଁ
ଗଣ୍ଡାକରେ ପେଟ ପୂରେ
ଲାଜ ଢାଙ୍କିବାକୁ କନା ତ ଦୁରୂହ
ସୁଖଶାନ୍ତି ବହୁ ଦୂରେ ।
ଦିନ ଦି' ପହରେ ପିପାସୁ ଛଞ୍ଚାଣ
ପଣତକୁ ଧରେ ଝିଙ୍କି
ଅବଳା କନିଆ ଖଣି ଖାଦାନରେ
ଇଜ୍ଜତ ଦିଅଇ ବିକି ।
ଭାଷଣ ବାଜିରେ ଦେଶରେ ଆଗୁଆ
ଗରିବଙ୍କ ଥଇଥାନ
ଧନିକଙ୍କ ପାଇଁ ସରକାରୀ ନୀତି
ଯୋଗାଇଛି ସମାଧାନ ।
ଆଖି ଆଗରେ ତ ନରମେଧ ଯଜ୍ଞ
ମଠ ମନ୍ଦିରରେ ଆମ
ପାଟି ଫିଟାଇଲେ ପୋଲିସ ଦଫାରେ
ଚଢାଇବେ ତୁମ ନାମ ।
ଶାସକ ବୋଲାଏ ଯୋଗୀ ବ୍ରହ୍ମଚାରୀ
ଧନ୍ୟ ଧନ୍ୟ ରାଜନୀତି
ମଣିଷ ମଡାରେ ସପନ ସଉଧ
ତୋଳାଯାଏ ଏଠି ନିତି ।
ମନ୍ତିରୀ ଖାଇଲେ କଞ୍ଚା ମାଉଁସରେ
ପାକଳ ହୁଅଇ ନିଶ
ରଜା ତ ଓଳିଆ ମାଟିର ହଳିଆ
ଲୋଡିଲେ ମିଳେନି ବିଷ ।
ଅନୁଗତ କେହି ବୁଝିବେ ନାହିଁ ଟି
ବ୍ୟଥାର ବିଷମ ଭାର
ଛତ୍ରଛାୟା ତଳେ ଜିଭରେ ତାଙ୍କର
ତୀକ୍ଷ୍ଣ ଅସିର ଧାର ।
ଜାତୀୟ ସଙ୍ଗୀତ ନିନାଦରେ ସିନା
ଗାଅ ଦେଶ ଗଉରବ
ହୃଦୟ ମୋହର ଗାଇ ଲେଖୁଥିବ
ଅବହେଳିତଙ୍କ ସ୍ତବ ।
ପ୍ରସନ୍ନ କୁମାର ମାଦଳା