ଆହ୍ଲାଦିନୀ
ଆହ୍ଲାଦିନୀ
ନନ୍ଦନନ୍ଦନ!!!---ହେ ! କଳାକାଞ୍ଚନ ----
ମନ ତୋ କଦମ୍ବବନ --
ପ୍ରେମ କାଦମ୍ବରୀ ----
ସେ ନିଶାରେ ଘାରି ହୁଏ ,
ବ୍ରଜବଧୂ ମୁଁ ଯେ ରାଈକିଶୋରୀ !!!!
ଭୁଲିନାହିଁ ----ଭୁଲିପାରୁ ନାହିଁ ତୋ ରୂପ ମାଧୁରୀ ।
ତୋ ଓଠ ତଳେ ଲାଖିଥିବା --
ଅଭୁଲା ହସର ରେଖା ,
ତୋ ପଗଡିରେ ଶୋଭାପାଉଥିବା --
ମନଜିଣା ମୟୂର ଚନ୍ଦ୍ରିକା ।
ତୋ ବାଙ୍କଚାହାଣୀ -----ନେଲା ମୋ ମନ କିଣି ,
ତୋ ହାତରେ ଯଷ୍ଟି -----ତୋ ଅଣ୍ଟାରେ ବଂଶୀ --
ବ୍ରଜଦାଣ୍ଡେ ଧୂଳି ଉଡେଇ ଉଡେଇ ---
ତୁ ଫେରୁଛୁ କି ସତେ ଗୋଗୋଷ୍ଠକୁ ବାହୁଡେଇ ।
ଗୋଧୂଳି ଲଗନ ----ମୋ ମନ ଉଚ୍ଛନ୍ନ ,
ତୋ ଆଖିରେ ନାଚେ ଦୁଷ୍ଟାମୀର ଚିହ୍ନ ,
ଗଛ ଉହାଡ଼ରୁ ଲୁଚିଲୁଚିକା ---ଦେଖୁଥାଏ ତୋ କଳାବଦନ ।
ନୀଳମେଘ କେବେ ଆକାଶେ ଦେଖିଲେ ---
ଉଚ୍ଚାଟିତ ହୁଏ ମନ ,
କୁହୁ କୁହୁକରେ ,ମଳୟ ମଧୁରେ ---
ନିନାଦିତ କୁଞ୍ଜବନ ।
ବଇଁଶୀର ସ୍ବର ତୋ ଓଠେ ଫୁଟିଲେ --
ମନେପଡିଯାଏ ଯମୁନା କୂଳ ,
ପାଶୋରି ପାରିବି କି କେବେ ???
ସେ ନୀପମୂଳ କି ତୋ ବାଙ୍କଚୂଳ ।
ତୁ ଯେଉଁଠି ଥା ----ଯେତେ ଦୂରରେ ଥା --
ମଥୁରାପୁରେ କି ଦ୍ବାରିକାପୁରେ ---
ସଖାପଣେ ଅବା ବାରୁଣାବନ୍ତରେ ---
ମୁଁ ଜାଣିଛି ----ତୁ ଜାଣିଛୁ ---ନାହିଁ କିଛି ଅଗୋଚର --
ଆଉ କେବେ ଛୁଇଁବନି ପାଦ ତୋର --
ବ୍ରଜଦାଣ୍ଡ ଧୂଳି ,
ଆଉ କେବେ ଧୋଇବନି ହାତ ତୋର --
ଯମୁନାର ନୀଳଜଳବେଣୀ ।
ଏମିତି ଦିନ ନାହିଁ ----ତତେ ମୁଁ ଭାବି ନାହିଁ --
ଆଖିର କଜ୍ଜ୍ବଳଗାର ଯମୁନା ପଖାଳି ନାହିଁ ,
ଏମିତି ସଞ୍ଜ ନାହିଁ --- କାଖେ କଳସୀ ନାହିଁ --
ନିଇତି ଯମୁନା ଘାଟେ ତତେ ମୁଁ ଖୋଜୁଥାଇ ---
ଉଦାସୀ ଆଖି ମୋର ତୋ ପଥ ରହେ ଚାହିଁ ।