ଭଗିଆ ବୋଉ
ଭଗିଆ ବୋଉ
ଭଗିଆ ବୋଉ ଲୋ ଭଗିଆ ବୋଉ
ଏମିତି ସରାଗ କେମିତି ଥୋଉ ।
ସୂତା ଖିଅକରେ ସମ୍ପର୍କ ଡୋରି
ସହଳ ବାନ୍ଧିଲୁ ଆଣ୍ଟରେ ଗୋରୀ ।
ଚନ୍ଦ୍ରବଦନୀ ଲୋ ପାଖରେ ବସି
ହସି ଦେ ସରାଗେ ଆଦରେ ରସି ।
ଦେଖିଦେଲେ ତୋର ପଦୁଅଁ ମୁଖ
ଘୁଞ୍ଚିଯାଏ ମୋର ଯେତେକ ଦୁଃଖ ।
ଦଶ ଦିଗପାଳେ ଅନଳେ ସାକ୍ଷୀ
ରଖି ବାହା ହୋଇ ଆଣିଲି ଡାକି ।
ତୁମ ନଈପଠା ପୋଖରୀ କଇଁ
ଆମ ଗାଆଁ ଜହ୍ନ ଛୁଇଁଲା ନଇଁ ।
ଆମ ତାଳବଣ ତୁମ ଗାଁ ଖଳା
ଦିଶିବ ଆଖିକି ଖୋଲିଲେ ଜଳା ।
ଚାରିଦିଗେ ଦେଖ ମିଳନ ରାଗ
ସାଧାରଣ ନୁହେଁ ବିବାହ ଯାଗ ।
ଚଗଲା ଫଗୁଣେ ପ୍ରୀତି ପରଶ
ମୁଠାଏ ଅବିରେ ବୋଳେ ହରଷ ।
ନୁଆଁଣିଆ ଆମ ଏ ଚାଳ ଘରେ
ଉଆସର ସୁଖ ତୋ ପାଇଁ ଭରେ ।
ସାତସିଆଁ ଶାଢ଼ୀ ଭିତରୁ ତୋର
ରୂପରେ ଲାଗୁଛୁ ପରୀଟେ ମୋର ।
ତୋହର ପଣତେ ମୁହଁକୁ ପୋଛି
ଧାଏଁ ମୁଁ ବିଲକୁ ବଳଦ ଯୋଚି ।
ତୋର ହାତରନ୍ଧା ଶାଗ ପଖାଳେ
ପେଟ ମୋ ପୂରଇ ସଞ୍ଜ ସକାଳେ ।
ଶସ୍ତା ଟିକିଲି ଓ ସରୁ ପାନିଆଁ
ଖୁସିରେ ଦେଖିକି ହେଲୁ ଛାନିଆଁ ।
ଫୁଟିଛି ତୋ ଓଠେ ହସ ଲହରୀ
ଲାଗିଲୁଣି ଏବେ ଟିକେ ସହରୀ ।
ଛିଣ୍ଡା ମଶିଣା ତୋ ଶିମିଳି ଶଯ୍ୟା
ଏକଥା ଭାବିଲେ ଲାଗୁଛି ଲଜ୍ଜା ।
ବାହୁରେ ବାନ୍ଧିଲୁ ସୁଦଶା ବ୍ରତ
ସିନ୍ଦୂର ଟୋପାରେ ନିବିଡ଼ ସତ ।
ପ୍ରସନ୍ନ କୁମାର ମାଦଳା