ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା
ସନ୍ତୋଷେ ସନ୍ତୋଷ ବିଭୁଙ୍କ ଶରଣ ଗଲା
ସପନ ସରିଲା ନିଦ ଭାଙ୍ଗିଗଲା ଆକାଶୁ ତାରା ହଜିଲା
ଦିନମଣି ଉଭା ସଙ୍କେତ ଆସିଲା କୁକ୍କୁଟ ରାବ ଶୁଭିଲା ।
ପ୍ରଭୁ ପଦ ଆଶେ ଜୁଇ,ଚମ୍ପା,ହେନା, ମଧୁ-ମାଳତୀ ବାସିଲା
ଗଭୀର ଗୁମାନେ ଶେଫାଳି ରାଣୀଟା ବୃନ୍ତରୁ ପତିତ ହେଲା ।।
ମାନି ବୋଉ ବାସି ପାଇଟିକୁ ସାରି ବଉଳା କ୍ଷୀର ଦୁହିଁଲା
କିଚିରି ମିଚିରି ପକ୍ଷୀ କାକଳିର ମୃଦୁ ଗୁଞ୍ଜରଣ ହେଲା ।
ମଥାନ ଉପରୁ କାକ ରାବ ଶୁଣି କୁନାଟା ନିଦରୁ ଉଠିଲା
ସେ'ମୁଣ୍ଡ ମନ୍ଦିରୁ ଘଣ୍ଟ ଘଣ୍ଟା ଶବ୍ଦେ ଭଜନ ଗାନ ଶୁଭିଲା ।।
ବିଭୁକୃପା ଧ୍ୟାଇ ଗ୍ରାମ ସୀମନ୍ତିନୀ ସରିତ ତଟେ ଚଳିଲା
ହୁଳହୁଳି ସ୍ବରେ ଦାମୋଦର ଭଜି ମଙ୍ଗଳ କାମନା କଲା
ପୂରୁବ ଦିଗରୁ ସୂରୁଜଙ୍କ ଜ୍ୟୋତି ଧରଣୀ ବକ୍ଷେ ପଡିଲା
ରାତ୍ରିର କାକର କଅଁଳ ଖରାରେ ହୀରକ ପ୍ରାୟ ଶୋଭିଲା ।।
ଦେଖି ଏ ସୌନ୍ଦର୍ଯ୍ୟ ବିଧିର ବୈଭବ ମନ ପୁଲକିତ ହେଲା
ସନ୍ତୋଷେ ସନ୍ତୋଷ ସମର୍ପଣ ଭାବେ ବିଭୁଙ୍କ ଶରଣ ଗଲା ।।