ମା କଶ୍ଚିତ ଦୁଃଖଭାଗ ଭବେତ
ମା କଶ୍ଚିତ ଦୁଃଖଭାଗ ଭବେତ
ଅବାଞ୍ଛିତ ଇଚ୍ଛା ନେଇ
ଅତର୍କିତ ଆକ୍ରମଣ କରି
ତୁମେ ତୋଳିବାକୁ ପ୍ରୟାସିଲ
ପ୍ରଜ୍ଞାହୀନ ପ୍ରେମର ମନ୍ଦିର ।
ତୁମ ପରିଣୀତା ପ୍ରତିଭାକୁ
ସମ୍ମାନୀ ଥିଲି ମୁଁ ସ୍ନେହଝରା
ସ୍ନେହପୂର୍ଣ ସମ୍ବର୍ଦ୍ଧନା ଦେଇ
ସାରସ୍ବତ ସୃଜନୀ ତୂଳୀରେ।
ତୁମ କଵିତାର ମଧୁ ମଦିରାରେ
ନଥିଲି ମୁଁ ବିଟପୀ ଭ୍ରମର ।
ବରଂ ଥିଲି ଏକ ପ୍ରଜାପତି,
ସୌନ୍ଦର୍ଯ୍ୟ ବୋଧ ର ଆନ୍ତରାଳେ।
ମାତଙ୍ଗ ବାନ୍ଧବ ସାଜି ସଂସାରର
ମୃଦୁ ପୁଷ୍ପଗୁଚ୍ଛ ର ସୌରଭେ
ଇଚ୍ଛିଥିଲି ସୁରଭିତ କରିବାକୁ
ତୁମ କାବ୍ୟ କନ୍ୟା,କାବ୍ୟ ପ୍ରତିମାକୁ ।
ଜୀବନ୍ତ ଜନନୀ,ପୁଣି
ବିଦୁଶୀ ଭଗିନୀ,ତୁମ କାବ୍ୟ କନ୍ୟା।
ତୁମେ ମନ୍ଦାକିନୀ,
ମନ୍ଦ ମନ୍ଦ ମଳୟର ତାଳେ,
ଭରି ଦେଇପାର ସମ୍ଭ୍ରାନ୍ତ ସଂସ୍କାର।
ତୁମ କାବ୍ୟ କନ୍ୟା
ପ୍ରତି ଟି ପାଖୁଡା ଦେହେ
ଭରିଅଛି ନିତ୍ୟ ସତ୍ୟନିଷ୍ଠ
ଶ୍ରଦ୍ଧା ଆଉ ସମ୍ମାନ ର ଶ୍ରୋତ,
ପୁରିଅଛି ପ୍ରୀତିଭରା ନୀତିବାଣୀ ।
ହେ ମୋର ସାରସ୍ବତ ବନ୍ଧୁ !
କର ପରିତ୍ୟାଗ
ସବୁ ନ୍ୟୁନ ଆକର୍ଷଣ।
ମହାର୍ଘ ପରିଧି ଘେରା ବଳୟରେ
ତୁମ ପାଇଁ ରଖିଛି ମୁଁ ସ୍ୱର୍ଣ୍ଣ ସିଂହାସନ।
ତୁଳା ର ତୁଳୀରେ ନୁହେଁ,
ନିଷ୍କଳଙ୍କ କାଳି ର କଲମେ
ଲେଖିଦିଅ କେଇ ଧାଡି।
ଝରିଯାଉ ଝର ଝର
ଅମ୍ଳାନ ଓ ଅମୃତ ଅକ୍ଷରେ
ସ୍ବର୍ଣ୍ଣାକ୍ଷରୀ ସ୍ୱର।
ଗାଇ ଉଠୁ ଜୀବନର ଗୀତି ।
ସର୍ବେ ଭବନ୍ତୁ ସୁଖିନଃ,
ସର୍ବେ ସନ୍ତୁ ନିରାମୟଃ
ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ
ମା କଶ୍ଚିତ ଦୁଃଖଭାଗ ଭବେତ ।