ଆହୋପୁରୁଷିକା
ଆହୋପୁରୁଷିକା
ତୁମେ ସୀମାରେଖା ଟାଣ
ଲୁହା ଜାଲି ତାରବାଡ଼ ଦେଇ;
ଏପଟେ ବନ୍ଧୁକ ଗୋଳା ସେପଟେ
ସଜାଇ ରଖ; ଆପଣା ବାହାସ୍ଫୋଟ ମାରି
ବର୍ଣ୍ଣ ବିବର୍ଣ୍ଣରେ ତୁମେ ପତାକା ତିଆରି କର||
ତା ପାଇଁ ନିୟମ କର ଦଳବଳ ହୋଇ
ତାକୁ ସାଇତି ରଖ ଦିନଟିଏ ପାଇଁ
ଉଡ଼େଇବାକୁ ତୁମ ଛୁଟିଦିନରେ
ମାଛ ଛେଳି କୁକୁଡ଼ା ମଣିଷର
ତୁମେ ଗଳା କାଟ, ନିଆଁ ଧୂଆଁରେ
ସହର ନଗର ଗଳିକୁ ରୁନ୍ଧିଦିଅ
ସ୍ୱରାଜ୍ୟକୁ କ୍ରୁଶବିଦ୍ଧ କର||
ଶାସକଦଳରେ ରହିବା ପାଇଁ
ତୁମେ ହିଁ ବିରୁଦ୍ଧ କର, ବିରୋଧି ହୁଅ
ମେଜ ଚଉକୀରେ ମହାଭାରତ ଲଢ଼
ରାଷ୍ଟ୍ର ସମୃଦ୍ଧିକୁ ଇଭିଏମ୍ ଦ୍ୱନ୍ଦରେ
ଅହଂ ବ୍ରହ୍ମାସ୍ମି ଅହଂରେ
ବସୁଧୈବ କୁଟୁମ୍ବକମ୍ର ଦ୍ୱାହିରେ
ନିଜକୁ ହଜାଅ ହଜାଇ କୁଟୁମ୍ବଙ୍କୁ
କର୍ମକୁ ଗୁରୁ ବୋଲି ନାମକୁ ମାତ୍ର ରଟ||
-ପ୍ରଭୂ