ଭକ୍ତ ଭାବେ ବନ୍ଧା ତୁମେ
ଭକ୍ତ ଭାବେ ବନ୍ଧା ତୁମେ
ଭକ୍ତ ଭାବେ ବନ୍ଧା ଭକ୍ତ ବନ୍ଧୁ ତୁମେ
ଭକତ ଭାବରେ ଭୋଳା
ତୋ ଭକ୍ତ ତୋଠାରେ ବନ୍ଧା ହୃଦୟରେ
କରିଛୁ ତ କେତେ ଲୀଳା ।
ଛଳରେ ପେଶିଲ ବଳିକୁ ପାତାଳ
ଦାନ ହେଲା ତାର କାଳ
ସେହି ଦାନେ କର୍ଣ୍ଣ ସୁତକୁ ହାରିଲା
ହରିଶ୍ଚନ୍ଦ୍ର ଜଗୁଆଳ ।
ଭକ୍ତଠାରେ ତୋର ପରୀକ୍ଷା ପ୍ରକାର
କେ ବୁଝି ପାରିବ କହ
ମହାଭାରତରେ କପଟେ ଯେସନେ
ଭୀମସୁତେ ଆତ୍ମଦାହ ।
ଦଧିଚି ମହର୍ଷି ଦେଇ ନିଜ ଅସ୍ଥି
କରିଲେ ଜୀବନ ତ୍ୟାଗ
ତୁମେ ଲୀଳାମୟ ସବୁରି ସହାୟ
ଏ କି ତୁମ ଅପ୍ରମାଦ ।
ଅଜ୍ଞାନେ ଧୀବର ଧୋଇଲା ପୟର
ପାଇଲା ପରମ ପଦ
ଜ୍ଞାନ ଥାଇ କିଏ ହେଉଛି ତୁମର
ପାଉଛି କରୁଣା ପଦ ।
ଶବର ପେଶିଲା ଚରଣରେ ଶର
ଶରଣରେ ନେଲ ତାକୁ
କରି କରାଉଛ ବୋଲି ସିନା ତୁମେ
ଶରଣ ତୁମ ଇଛାକୁ ।
ଆମେ ଦୀନଜନ କାହିଁ ଏତେ ଭାଗ୍ୟ
ଦୀନାର୍ଥେ କରୁଣା ଉଣା
ତଥାପି ଆଶାରେ ଆଶା ବାନ୍ଧି ଅଛୁ
କରିବ ବୋଲି କରୁଣା ।
ଦୀନବନ୍ଧୁ ତୁମେ ଦୟା କର ଟିକେ
ଦୟାନିଧି ତୁମେ ଜଣା
ଭାବଗ୍ରାହୀ ବୋଲି ଭକତେ ଡାକନ୍ତି
ଭାବରେ ଭାବରେ ବଣା ।
ପ୍ରଶାନ୍ତ କୁମାର ହୋତା