ଶୀତ ଅଇଲା
ଶୀତ ଅଇଲା
ଶୀତ ଅଇଲା
ଦଶହରା ଯାଇ କୁଆଁର ପୁନେଇଁ ସଇଲା
କାଲୁଆ ପବନ ଉତ୍ତର ପଟରୁ ବହିଲା
ମିଛେ ରଡି ଛାଡି ଧଳା ମେଘମାଳ ଫେରିଲା
ଆକାଶ ନିର୍ମଳ, ବେଳଥାଉଁ ସଂଜ ଅଇଲା ।
ସବୁଜ କ୍ଷେତରେ ଧାନ ଥିରି ଥିରି ଥରିଲା
ବେଙ୍ଗ ରଡି ଆଉ ଶୁଭୁନି ଗାତକୁ ପଶିଲା
ସକାଳ ସୂରୂଜ ଡେରିରେ ନିଦରୁ ଉଠିଲା
ଅଳପ କିରଣେ କଅଁଳ କୁସୁମ ହସିଲା ।
ଚଷାପୁଅ ଟିକେ ଶାନ୍ତିରେ ନିଶ୍ବାସ ମାଇଲା
ସଅଳ ସଅଳ ପାକଳ ଧାନକୁ ଦେଖିଲା
ଗୋରୁ ବଳଦଙ୍କୁ ଚହଟ ଚିକ୍କଣ ରଖିଲା
ଧାନକଟା ପାଇଁ ଦା'ର ଧାର ପରଖିଲା ।
ବେଳ ଗଡିଗଲେ ଦେହ ସିରି ସିରି ଲାଗିଲା
ଶୀତ ଲୁଗାପଟା ମାଆ ତ ପେଡିରୁ କାଢିଲା
ପଖାଳ କଂସାରେ ଗରମ ଭାତକୁ ବାଢିଲା
ପଣତ କାନିରେ ନାକରୁ ସିଂଘାଣି ପୋଛିଲା ।
ଜହ୍ନର ଜୋଛନା ଆକାଶେ ଝଲସ କରିଲା
ବୁଢୀ ମାଆ ମୋର କାର୍ତ୍ତିକ ହବିଷ ରଖିଲା
ନଦୀଜଳ କାଚ କେନ୍ଦୁ ନିରିମଳ ଦିଶିଲା
ପଠାରେ ହଲିଲା, କାଶତଣ୍ଡୀ ଫୁଲ ଝଡିଲା ।
ପୂଜାଛୁଟି ଗଲା ଶୀତ ମରତକୁ ଅଇଲା
ଦେଉଳେ ଦିଅଁଙ୍କ ଉଛବ ମୁଖର ହୋଇଲା
ବାସହୀନ ଜନ ମଥାକୁ ଭାଳେଣି ପଡିଲା
କନ୍ତରା କନାକୁ ସାଉଁଟିଣ ଦିନ ଗଡିଲା ।
କବି- ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା