ମୁକ୍ତି ସଙ୍ଗୀତ
ମୁକ୍ତି ସଙ୍ଗୀତ
ମୁକ୍ତିରେ ମୁକ୍ତିରେ
ମୁକ୍ତି କାମୀ ସାଜି
ସୁନା ଚଢ଼େଇଟି
ଆକାଶରେ ଉଡ଼ି ବୁଲେ ।
ସ୍ୱାଧୀନତାର
ଶୁଭ୍ରତାକୁ ନେଇ
ମୁକ୍ତି ସଙ୍ଗୀତ
ଗୁଣୁଗୁଣୁ ଗାଇ ଚାଲେ ।
ସ୍ୱାଧୀନତା କେତେ
ଅମାୟିକ ସତେ
ପବିତ୍ରତା ମନ୍ତ୍ରେ
ଶୁଭ୍ର ଆଉ ସୁନ୍ଦର ।
ସୁରଭିତ କରେ
ଶୁଦ୍ଧ ସୁରଭିରେ
ଜୀବନକୁ କରେ
ମଧୁ ଠାରୁ ବି ମଧୁର ।
ନୀଳ ଆକାଶର
ପରୀଟିଏ ପରି
ମୁକ୍ତ ମନ ନେଇ
ସରଳ ପକ୍ଷୀଟି ଉଡେ ।
ସ୍ୱାଧୀନତା ଥାଇ
ସ୍ଵେଚ୍ଛାଚାରୀ ହୋଇ
ମଣିଷ ନିଜର
ବିବେକ ବିନ୍ୟାସ ହୁଡେ ।
ଅହଙ୍କାର ହୁଏ
ପ୍ରିୟ ଅଳଙ୍କାର
ଈର୍ଷା ହୁଏ ତା'ର
ଅକାଟ୍ୟ,ଅମୋଘ ଅସ୍ତ୍ର ।
ଅଗଣିତ ଲୋକେ
କରି ଅମଙ୍ଗଳ
ସଙ୍କୁଚିତ କରେ
ସ୍ୱାଧୀନତାର ମନ୍ତ୍ର ।
ସ୍ୱାଧୀନତା ଆଉ
ସ୍ବେଚ୍ଛାଚାରିତା
ଜଣେ ନ୍ୟାୟ ହେଲେ
ଅନ୍ୟଟି ଅନ୍ୟାୟ ଧାରା ।
ଗୋଟେ ପ୍ରୀତି ହେଲେ
ଅନ୍ୟ,ପ୍ରରୋଚନା
ଗୋଟିଏ ବଂଚାଏ
ଅନ୍ୟଟି ପାପ ପସରା ।
ସ୍ୱାଧୀନତା ଯିଏ
ସାବ୍ୟସ୍ତ କରଇ
ସ୍ୱର୍ଥୀ ନ ହୋଇ
ଆନେ ସ୍ୱାଧୀନତା ଦେଇ ।
ସିଏ ହିଁ ମହତ
ତାକୁ ଏ ଜଗତ
ସୁଖ ଓ ସମ୍ମାନ
ଦେଇଥାଏ ମୁଗ୍ଧ ହୋଇ ।
ସ୍ଵେଚ୍ଛାଚାରୀ ଯିଏ
ପୁଣ୍ୟ ହରା ହୁଏ
ଅଳପ ଦିନରେ
ସମ୍ମାନ ତା'ଚାଲିଯାଏ ।
ସମାଜରେ ରହି
ଅସାମାଜିକତା
ବଳୟ ଭିତରେ
ପଚି ସଢ଼ି ଲୀନ ହୁଏ ।