ସଜାଅ ଜୀବନ ପଥ
ସଜାଅ ଜୀବନ ପଥ
କିଏ ସେ ଗରଜେ ଦୂର ଦିଗନ୍ତର ତଳେ
ଶୁଣିଦେଲା କ୍ଷଣି ଭାବନାରେ ଯାଏ ମଜ୍ଜି,
ଆଣିଦିଅ ତାକୁ ପରାଣ ଆବେଗ ବଳେ
ସପନ ଆମର କେବେଠୁ ଯାଇଛି ହଜି ।
ଖୋଜି ଆଣିଦିଅ ମିଳିଯିବ କେଉଁ କାଳେ
ସ୍ବପ୍ନ ନୁହେଁ ସେତ ଅନ୍ତରେ ଫୁଟିଲା ଫୁଲ,
ବାସୁଥିଲା ତାର ଜୀଅନ୍ତା ଶାଗୁଆ ଡାଳେ
ଦିଶେ ଏବେ ଦେଖ ଭୀଷଣ ଅନଳ ଝୁଲ ।
ଅଥୟ ସେ କିଏ ବଳାଏ ଲୋଲୁପ କାମ
କେଉଁ ପିଶାଚିନୀ ହାତରେ ପଡିଲା ଝରି,
ଗଳାଇ ଲୋତକ ନିରୀହ ନେତ୍ରରୁ ଆମ
ତାର ଅନ୍ବେଷଣେ ଆୟୁଷ ବି ଗଲା ସରି ।
ସାକାର ସପନ ପାଇଁ ଭାବନାରେ ଭାରି
ତାଡନା ଯାତନା ଶୋଷଣରେ ମର୍ମାହତ,
ହୋଇ କରିଥିଲୁ ଅଲଙ୍ଘ୍ୟ ପ୍ରାଚୀର ପାରି
ପ୍ରାଣବଳି ଦେଇ ହୋଇନୁ ବି ପରାହତ ।
ଆହ୍ବାନ ଆସେ ଏ ଶ୍ରବଣ ଗହ୍ବରେ ପୂରି
ଫାଟେ କି ଅନ୍ତର ସୁଦୂର ମେଦିନୀ ତଳୁ ,
ଜାଗେ କି ଚେତନା ଅନିଳ ବଳୟେ ଘୂରି
ପ୍ରବଞ୍ଚକ ଯେତେ ପରମାର୍ଥ କଲେ ଚଳୁ ।
ଯେତେ ଯହିଁ ଅଛ ଆସ ଭାରତୀୟ ବୀର
ଓଗାଳି ରଖ ହେ ଚୋର ଚଣ୍ଡାଳଙ୍କ ପଥ,
ମାଟି ମାଆ ଦୁଃଖେ ହୃଦୟୁ ବୁହାଏ ନୀର
ପାରିଜାତେ ଏବେ ସଜାଅ ଜୀବନ ପଥ ।
ପ୍ରସନ୍ନ କୁମାର ମାଦଳା