ପାସୋରିଲି ଯେତେ ରଙ୍ଗ
ପାସୋରିଲି ଯେତେ ରଙ୍ଗ
ଯେବେ ତୁମସହ ମୋ ଆଖି ମିଶିଲା,
କେତେ କଳପନା ଅନ୍ତରେ ଆସିଲା ;
ସବୁକିଛି ମୋତେ ଆକାଶୀ ଦିଶିଲା -
ପାସୋରିଲି ଯେତେ ରଙ୍ଗ ,
ଅୟୁତ ଯୁଗରୁ ଏଇ ମନ ପରା
ଲୋଡୁଅଛି ତୁମ ସଙ୍ଗ ।
ବଶ କରିନେଲା ତୁମ ଦରହାସ ,
ମନ ଚାଲିଗଲା ସଦା ତୁମ ପାଶ ;
ବିତିଲାଣି କେତେ ଦିନ,ବାର-ମାସ
କାହାକୁ କହିବି ଖୋଲି ,
ନିଜକୁ ପାସୋରି ଆଉ ଜଣକୁ ମୁଁ
ମନ ଦେଇଅଛି ବୋଲି ।
ଯେ ଶୁଣିବ ସିଏ ସନ୍ଦେହ କରିବ ,
ତୁମନାମେ କେତେ କାନରେ ଭରିବ ;
ମାନ, ମହତକୁ ବାଟରେ ସାରିବ-
ସେଥିଲାଗି ମାଡ଼େ ଡର ,
କିଏ ଜାଣେ,ଏଇ ପଦିଏ କଥାରେ
ଉଜୁଡ଼ି ନ ଯିବ ଘର !
ତୁମେ ଯେବେ ମୋତେ ଦିଅନ୍ତ ଭରସା,
ସତରେ ତା' ଭାରି ହୁଅନ୍ତା ସରସା ;
ମୋ ଜୀବନେ ସାରା ସୁଖର ବରଷା-
ହେଉଥା'ନ୍ତା ଅହରହ ,
ତୁମ ସଙ୍ଗଲଭି ଅସୀମ ଆନନ୍ଦେ
ଭୁଲନ୍ତି ସଂସାର ମୋହ ।।
ବି. ନିରୁପମା
ମାମୁରିଆ,ଛେଣ୍ଡିପଦା,ଅନୁଗୋଳ।