କବିତା ମୋ ପ୍ରତିଶ୍ରୁତି
କବିତା ମୋ ପ୍ରତିଶ୍ରୁତି
ରାତି ଯେବେ ନିଦ୍ରାବତୀ ସାଜେ,
ମୋ'ଆଖିରେ ପଲକ ପଡେନି,
କବିତାକୁ ନିଃସଙ୍ଗର ସାଥି କରିନିଏ ।
ପ୍ରତିଶ୍ରୁତି ଯେବେ ଲୁଚିଯାଏ,
କବିତା ମୋ'ପ୍ରତିଶ୍ରୁତି ସାଜେ,
ତା'କୋଳରେ ମୁଣ୍ଡ ଗୁଞ୍ଜି ଶାନ୍ତିରେ ମୁଁ ଶୋଏ ।
ଦରଦର ଆଘାତ ପାଇଲେ
ମୋ'ଦରଦ ବାଣ୍ଟିନେଇ ଯାଇ
ମୋ'କବିତା ତା'ଆଖିକୁ ଲୁହରେ ଭିଜାଏ ।
ଭିଜା ଓଦା ଲୁହର ଝରରେ
ମୋ'ତୁଳୀରୁ ନରମି ସରମି
ମୋ'କବିତା ତା'ନିଜକୁ ଜୀବନ୍ୟାସ ଦିଏ ।
ସ୍ବପ୍ନ ଯେବେ ଛପି ହଜି ଯାଏ
ମୋ'କବିତା କଳ୍ପି,କଳ୍ପନାରେ
ସପନ ସଉଧ ରଚି ସ୍ବପ୍ନରାଣୀ ସାଜେ ।
ପ୍ରକୃତିରୁ ରଙ୍ଗ ମାଗି ଆଣି
ସାରସ୍ୱତ ବୀଣାର ଝଙ୍କାରେ
ସଙ୍ଗୀତର ସୁରେ ସୁରେ ନିଜେ ନିଜେ ବାଜେ ।
ତା' ପଣତ ଫିକା ଫଗୁଣକୁ
ଫଲ୍ଗୁ ଭରା ରଙ୍ଗ ଆଭୂଷଣେ
ମମତାରେ ଭରି ଭରି ମତୁଆଲା କରେ ।
ନିଦାଘରେ ବୈଶାଖୀ ବୁକୁରେ
ଶ୍ରାବଣୀର ମେଘ ମାଳା ସାଜି
ଘନ ଚୂର୍ଣ୍ଣ କୁନ୍ତଳରେ ସଭିଙ୍କୁ ଆବୋରେ ।
କବିତା ଗୋ, ସ୍ନିଗ୍ଧ ଚାରୁଵାଳା
ଫେରି ଥରେ ନୀଳ ନୟନରେ
ଚାହିଁଦେଖ କବିଙ୍କର କାବ୍ୟଶ୍ରୀ ନୟନେ ।
ଭରିଦିଅ, ସରସ୍ଵତୀ ଙ୍କର
ଚଉଦିଗେ,ପ୍ରାନ୍ତରେ ପ୍ରାନ୍ତରେ
ବିଦ୍ୟା,ଗୁଣ,ବଳିଷ୍ଠତା ମରମେ ମରମେ ।
ସେ ସୁର ହେଉ ଅଲିଭା ଜ୍ଞାନ
ଚାରିଆଡେ ଫୁଟି ହସି ଉଠୁ
ଜ୍ଞାନଦୀପ ଘରେ ଘରେ ପୁରରେ ପ୍ରାନ୍ତରେ ।
ଦିବ୍ୟ ଜ୍ୟୋତି ବିକଶିତ ହେଉ
ପ୍ରାଣେ ପ୍ରାଣେ ମନରେ ମର୍ମରେ
ଆବିଳତା ହଟିଯାଉ ସକଳ ପ୍ରାଣରେ ।