ସୂକ୍ଷ୍ମ ସାକ୍ଷୀ
ସୂକ୍ଷ୍ମ ସାକ୍ଷୀ
1 min
6.6K
ଜୀବନ ଜଞ୍ଜାଳ ଘୁର୍ଣ୍ଣି ବଳୟରେ
ଅପରାହ୍ନ ଦେଇ
ଅତିକ୍ରମ କରୁ କରୁ ।
ସିକ୍ତ ସୋପାନରେ ପାଦ ପଡିଗଲା
ଭେଟିଲି ବଳୟେ
ସ୍ୱାଭିମାନୀ ଏକ ତରୁ ।
ସଂଭ୍ରମ ମାନରେ ସମ୍ପ୍ରତି ସଙ୍ଗୀତ
ରୁଦ୍ଧଶ୍ୱାସ ହୋଇ
ତା'କଣ୍ଠରୁ ଝରୁଥିଲା ।
ସେ ସଙ୍ଗୀତ ସୁରେ ମିଛ ସଭ୍ୟତାର
ସନ୍ଧାନୀ ସୀତାର
ନୀରବରେ ନିନ୍ଦୁଥିଲା ।
ନିନ୍ଦୁଥିଲା ସିଏ ସତ୍ୟ ଓ ଆନନ୍ଦ,
ସଭ୍ୟ ମୁଖାଧାରୀ,
ରୁକ୍ଷ ମଣିଷ କଥା ।
ତା' ଜୀବନ ପଥେ ଅନ୍ୟର ଆଘାତେ
ଦୁର୍ବାର ଯାତନା
ଅକୁହା ମନର ବ୍ୟଥା ।
ନୀରବିଗଲା ତା' ସଙ୍ଗୀତର ସୁର
ଓହରିଗଲା ସେ
ପ୍ରତାରଣା ପରିଧିରୁ ।
ଛଦ୍ମବେଶୀ ହୋଇ ସମ୍ମାନରେ ରହି
ଶବ୍ଦରେ ଶବ୍ଦରେ
ବହିଗଲା ଭାବନାରୁ ।
ନୀରବତା ତା'ର ଝଞ୍ଜା ଆଣିଦେଲା,
ନୀରବ ବତାସ
ମନ୍ଦ ମଳୟ ସାଜିଲା ।
ଜହ୍ନ ଜଗତରେ ପରୀ ଟିଏ ହୋଇ
ରୂପସୀ, ମୃଣ୍ମୟୀ
ଛଦ୍ମନାମେ ରହିଗଲା ।
ସଭ୍ୟତା ଆଖିରେ କଦାକାର ବୋଲି
ପରିଚୟ ଦେଲା,
ଆଶା ଅଶୁମାରୀ ବନ୍ୟା ।
ମୋ'ଲେଖନୀ ଧାରେ ଶୁଭ୍ର ଶ୍ୱେତପଦ୍ମା
ମୋ'କବିତା କୋଳେ
ପ୍ରେରଣା,ବିଦୁଶୀ କନ୍ୟା ।
ପ୍ରେରଣା ସେ ସିନା ପ୍ରଣୟୀ ମୋ'ନୁହେଁ
ଶାଶ୍ୱତ ବନ୍ଧନେ
ମୋ'କବିତା କୋଳେ ରଖି ।
ସଂସ୍କାର ରଚିବା ପରମ୍ପରା ନେଇ
କଳ୍ପିବି କବିତା
କରି ତା'କୁ ସୂକ୍ଷ୍ମ ସାକ୍ଷୀ ।
କବିତାରେ ଥିବ ପ୍ରତିବାଦ ତୀବ୍ର
ଅସତ୍ୟ ଉଦ୍ଧାମ
ସହରର ବିରୁଦ୍ଧରେ ।
ମୁଁ ତା'ର ଉତ୍ସାହ ସେ ମୋର ପ୍ରୋତ୍ସାହ
ସୃଜନୀ ହସିବ
ଭିନ୍ନ ଏକ ସ୍ୱରୂପରେ ।