ମୋ ଗାଁ ନଈ ମନେ ପଡ଼େ
ମୋ ଗାଁ ନଈ ମନେ ପଡ଼େ
କେବେ କେମିତି ବେଳ ବୁଡ଼ିଲା ପରେ-
ମେଲାଣି ମାଗୁଥିବା ସୂର୍ଯ୍ୟକୁ
ଦିନଯାକର ଧାଁଧପଡ଼ ଭିତରେ ଆନମନା ହୋଇ
ଭେଟି ନ ପାରିବା;
ଆଉ ସୁଯୋଗକୁ ଉଣ୍ଡି ବସିଥିବା ସଞ୍ଜର ଅକସ୍ମାତ ଆବିର୍ଭାବ ପରେ,
ଡଗ ଡଗ ହୋଇ ନଈପଠା ଆଡ଼େ ଚାଲିଗଲେ,
ଗୋଟେ ତାରା ଦେଖିବିନି ବୋଲି, ଆକାଶକୁ ଚାହିଁ
ରାସ୍ତାରେ ଥରେ ଦିଥର ଝୁଣ୍ଟି, ମିଲି ମିଲି ତାରାମାନଙ୍କର
ଗୋଟେ ପରେ ଗୋଟେ ହାଜିରା ନେଲାପରେ--
ଖଣ୍ଡି ତୁଠର ଅଧାଭଙ୍ଗା ପୁରୁଣା ବନ୍ଧରେ ପାଦ ଚାପି ଚାପି,
ଶିଉଳୀଲଗା ନିଷ୍ଠୁର ପଥରମାନଙ୍କୁ ପାଦରେ ମକଚି;
ଯେବେ ଲମ୍ଫ ଦିଏ ଆମ ଗାଁ ନଦୀ ଭିତରକୁ--
ସତରେ ମୋ ଶରୀର ଦିଫାଳ--
ଫାଳେ ପାଣି ଉପରେ --"ପରାଧୀନ",
ଫାଳେ ପାଣି ଭିତରେ --"ଜଳାଧୀନ",
ଧୀରେ ଧୀରେ ପରାଧୀନତାରୁ ଜଳାଧୀନ ଆଡ଼କୁ,
ସମଗ୍ର ଶରୀରକୁ ଜଳମୟ କଲାପରେ;
କାନ ପାଖରେ ଚଲା ପାଣିର ଚବ ଚବ ଶବ୍ଦ,
ମୁଣ୍ଡ ଉଠାଇଲେ ପୁଣି ମୋ ଗାଁର କୋଳାହଳ--
ସନିଆ ଭାଇର ବେସୁରା ସିନେମା ଗୀତ,
ମକୁ ମଉସାର ମାମଲତି ଓ ନେତୀ ଆଈର ରଡ଼ିରାମ୍ପୁଡ଼ା ଗାଳି..
ସବୁ ଶୁଣାଯାଏ.......ଦିନଥିଲା----
ଆଜି ସେତିକି ବେଳେ, ସେହି ଏକା ସମୟରେ,
ସହରର ଗାଧୁଆ ଘରେ, କାଳ୍ପନିକ ନଦୀ ପାଣିରେ,
ଶରୀରକୁ ଜଳରେ ନୁହେଁ, ବରଂ ଜଳକୁ ଶରୀରରେ ଛିଞ୍ଚିଲା ବେଳେ--
ସହରର କୋଳାହଳ, ବାବୁମାନଙ୍କ ଫିସ୍ ଫିସ୍ ଇଁରାଜୀ,
"କେହି ନୁହେଁ" ମାନଙ୍କର ଆପଣା ପଣିଆ,
ମତଲବି ମାନଙ୍କର ଟେଲିଫୋନରେ,
ଦେହ ପୁଣି ଝାଳେଇ ଯାଏ---
ଇଚ୍ଛା ହୁଏ ହାତଗୋଡ଼ ଛାଟି ସହରର ସବୁ ଗାଧୁଆଘର ପହଁରି (କାଳ୍ପନିକ ଭାବେ),
ପୁଣି ପହଞ୍ଚନ୍ତି ମୋ ଗାଁ ନଈରେ, ପାଣିରୁ ମୁଣ୍ଡ ଟେକି--
ଦୀର୍ଘଶ୍ଵାସ ଛାଡ଼ି, ମନର କ୍ଳେଶ ସବୁ ପୁଚ୍ କରି ପାଟିରୁ ପାଣିକୁ ଛାଡ଼ନ୍ତି,
ସବୁ ଚିନ୍ତା, ସବୁ ବ୍ୟଥା, ଉଷୁମ ହୋଇ ମୋ ମୁଣ୍ଡରୁ ଯାଇ ନଈରେ ମିଶିଯାଅନ୍ତା।।
ଫ୍ରାନସିସ୍ ଶତପଥୀ