ଅନୁରାଗ
ଅନୁରାଗ
ବିରହ ସହି ହେବ
କାରଣ ବିରହ ହାରିବା ନୁହେଁ
କିନ୍ତୁ ପ୍ରେମରେ ହାରିଯିବା
ଏକ କଠିନ ଅନୁଭବ
ଯେମିତି ମନକୁ
ଚିରି ଚିରି କାଟୁଥିବା
ବନ୍ଧ୍ୟାତ୍ଵର ଅନୁଭବ
ଦୟା ଆସୁଥିଲା
ବୋତଲରୁ ଏସିଡ୍ ଫୋପାଡୁ ଥିବା
ସେହି ସାଇକିକ ପ୍ରେମିକ ପ୍ରତି
ଯିଏ କଇଁଚିରେ ଟିକି ଟିକି କରି
କାଟି ଦେଇଥିଲା
ଫଟୋଟିରେ
ଝିଅଟିର ଓଠକୁ
ମନରେ ଆଶଙ୍କା ବି ଥିଲା
ମୋ ପ୍ରେମ ସେପରି ତ ନୁହେଁ
ଯାହାକୁ ଲୋକେ
ଶାମିଲ କରିବେ
କେଉଁ ଦିନ ଗସିପରେ ଓ କହିବେ
"ଅର୍ଡିନାରି ଏକତରଫା ପ୍ରେମ ଥିଲା"
ମୁଁ ତ
ମୋ ଅନୁରାଗ ପୁଷ୍ପର
ପୁଷ୍ପାଞ୍ଜଳି ଦେଇଥିଲି
ତୁମ ପାଦରେ
ଗାଇଥିଲି ମୁଁ ମେଘ ମହ୍ଲାର
ତନ୍ମୟତା ସହ
ହୃଦୟର ତନ୍ତ୍ରୀ ଟାଣି
ପ୍ରେମ ମେଘକୁ ଆବାହନ କରିବା ପାଇଁ
ଏତିକି ଦେଖିବାକୁ ଚାହିଁଥିଲି
ଘନେଇ ଆସିଥିବା ପ୍ରେମ ସର ସର
ତୁମ ମନ ଆକାଶ
ମୋ ମନରେ ଥିବା ତୁମର ଚିତ୍ରକୁ
ଆଜି ବହୁତ କଷ୍ଟରେ
ଭସାଇ ଦେଲି
ଠାକୁରଙ୍କ ପୂଜା ଫୁଲ ପରି
ବିସ୍ମୃତିର ନଈ ସୁଅରେ
ଭାସି ଯାଉ ନ ଥିଲା ସହଜରେ ସେ
ଯେ ପର୍ଯ୍ୟନ୍ତ
ପାଣି ଚହଲେଇ ନ ଦେଲି
ହାତ ପାପୁଲିରେ
ଭାସି ଗଲାବେଳେ
ତଥାପି ବି ତୁମ ଚାହାଣୀରେ
ଲାଖି ରହିଥିଲା
ଆସକ୍ତି ଆଉ ଅନାସକ୍ତି
ଭିତରେ ଦୋଳାୟମାନ
ସେହି ଭାବଟି
ମୁଁ ଚାହିଁଲି ନଈଟି ଆଡେ
ଯିଏ ଏକତରଫା ବହି ଚାଲିଥିଲା
ସମୁଦ୍ର ଆଡକୁ……